କନକ ବ୍ୟୁରୋ : ଜୀବନ ସହ ଜୀବିକା ନେଉଛି ମହାମାରୀ । ଲକଡାଉନ୍ ଲାଗିଲା, ବେରୋଜଗାରୀ ବଢିଲା । ମହାମାରୀ କରୋନା ଜୀବନ ନେଉଛି, ଜୀବିକା ବି ନେଉଛି । ଦ୍ୱିତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ୍, ଦେଶରେ ୧ କୋଟିରୁ ଅଧିକ ବେକାରୀ ସୃଷ୍ଟି କଲାଣି । ପ୍ରଥମ ଥର ଭଳି ମହାମାରୀର ଦ୍ୱିତୀୟ ଲହର ପୁଣି ଥରେ ଲୋକଙ୍କ ରୋଜଗାର ଛଡାଇନେଇଛି । ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାରୁ ଦେଶରେ ପ୍ରାୟ ୧ କୋଟିରୁ ଅଧିକ ଲୋକ ଜୀବିକା ହରାଇ ବେକାର ହୋଇଛନ୍ତି । କରୋନା ମହାମାରୀର ଆରମ୍ଭଠୁ ନେଇ ଆଜି ଯାଏଁ ପାଖାପାଖି ୯୭ ପ୍ରତିଶତ ପରିବାରର ରୋଜଗାର କମିଯାଇଛି । ଜାତୀୟ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ସେଂଟର ଫର୍ ଇଣ୍ଡିଆନ୍ ଇକୋନୋମିର ଚିଫ୍ ଏକଜିକୁଟିଭ୍ ।

Advertisment

ଏପଟେ କୂଅ, ସେପଟେ ଖାଇ । ଉଣାଅଧିକେ ଦେଶର ସ୍ଥିତି ଏଇୟା କହିଲେ ହୁଏତ ଭୁଲ୍ ହେବ ନାହିଁ । କରୋନା ଆମକୁ ଏଭଳି ଏକ ଦୋଦୁଲ୍ୟମାନ ସ୍ଥିତିରେ ଆଣି ଛିଡା କରିଦେଇଛି ଯେ, ଯେଉଁଠି ଜୀବନ ବଂଚାଇବାକୁ ଉଦ୍ୟମ କଲେ ଜୀବିକା ବୁଡିଯାଉଛି, ଆଉ ଜୀବିକା ବଂଚାଇବାକୁ ଗଲେ ଜୀବନ ବାଜିରେ ଲାଗିଯାଉଛି ।

ମହାମାରୀ ଆଣିଲା ବେକାରୀ । ଦ୍ୱିତୀୟ ଲହରରେ ୧ କୋଟିରୁ ଅଧିକ ବେକାରୀ । କରୋନା କେବଳ ଜୀବନରେ ଯନ୍ତ୍ରଣା ଆଣିନାହିଁ, ବରଂ ଜୀବିକାରେ ଯାତନା ବି ସାଥିରେ ନେଇ ଆସିଛି । ସେଂଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମିକର ଆକଳନ ଅନୁଯାୟୀ, କରୋନାର ଦ୍ୱିତୀୟ ଲହରରେ ୧୦ ମିଲିୟନରୁ ଅଧିକ ଲୋକ ବେରୋଜଗାର ହୋଇଛନ୍ତି । ଗତ ମେ ମାସରେ ସହରରେ ବେରୋଜଗାରୀ ୧୪.୭୩ ପ୍ରତିଶତ ରହିଥିବା ବେଳେ ଗ୍ରାମାଂଚଳରେ ବେରୋଜଗାରୀ ୧୦.୬୩ ପ୍ରତିଶତ ରହିଛି । ଅର୍ଥାତ ଗ୍ରାମାଂଚଳ ତୁଳନାରେ ସହରାଂଚଳରେ ବେକାରୀ ହାର ଉତ୍କଟ ରହିଛି ।

କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ, ବିଭିନ୍ନ ରାଜ୍ୟରେ ଲକଡାଉନ୍ ଘୋଷଣା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଦେଶରେ ଲକଡାଉନ୍ ଘୋଷଣା କରିଥିଲେ, ଠିକ୍ ଏମିତି ଲକ୍ଷ ଲକ୍ଷ ଲୋକଙ୍କୁ ବେକାରୀ ହେବାକୁ ପଡିଥିଲା ।

ଗତବର୍ଷ ମହାମାରୀ ପ୍ରଭାବରେ ଦେଶର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ହେଲେ କଟକଣା ହଟିବା ପରେ ଏଥିରୁ ଧିରେ ଧିରେ ଦେଶ ଉପରକୁ ଉଠୁଥିବା ବେଳେ କରୋନାର ଦ୍ୱିତୀୟ ଲହରୀ ପୁଣି ଥରେ ଅର୍ଥନୀତି ଉପରେ ମାଡ କରିଛି । ଆଉ ଗତ ମେ ମାସରେ ଯାହାର ପ୍ରଭାବ ସ୍ପଷ୍ଟ ଦେଖାଯାଇଛି ।