ମାଛ ପେଟରେ ବ୍ରାଉନସୁଗାର ! ବାଲେଶ୍ୱରରୁ ବିପୁଳ ପରିମାଣରେ ଧଳା ପାଉଡର ଧରାପଡିବା ପରେ ସନ୍ଦେହ ଘେରରେ ମାଛ ଲିଙ୍କ୍ ?

1,035

କନକ ବ୍ୟୁରୋ: ବାଲେଶ୍ୱରରେ ବଢୁଛି ବ୍ରାଉନସୁଗାର ବେପାର । ସହରର ବିଭିନ୍ନ ଅଞ୍ଚଳରେ ଚାଲିଛି ବେଧଡକ ବ୍ରାଉନ ସୁଗାର କାରବାର । ବାଲେଶ୍ୱରର ବିଭିନ୍ନ ଛକ, ଗଳିକନ୍ଦି ଆଉ ଦୋକାନ ବଜାରରେ ବିକ୍ରି ହେଉଛି ଧଳା ପାଉଡର । ଅରଡ ବଜାର ବ୍ରାଉନସୁଗାରର ପେଣ୍ଠସ୍ଥଳ କୁହାଯାଉଥିବା ବେଳେ ଅନ୍ୟସ୍ଥାନରେ ମଧ୍ୟ ବେଆଇନ ଭାବେ ବ୍ରାଉନସୁଗାର ବିକ୍ରି ହେଉଥିବା ଅଭିଯୋଗ ହେଉଛି । ତେବେ ଗୋଟିଏ କିମ୍ବା ଦୁଇଟି ଦୋଖାନ ଛାଡି ଅନ୍ୟଏକ ଦୋକାନରେ କୋଡ ୱାଡ୍ କହିଦେଲେ ଆରାମରେ ଧଳା ପାଉଡର ମିଳି ଯାଉଥିବା ସୂଚନା ମିଳିଛି ।

ଆଜି ସକାଳେ ସକାଳେ ବାଲେଶ୍ୱରରୁ ୧.୬୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ ହେବା ପରେ ବ୍ରାଉନସୁଗାର ବଳୟରେ ବାଲେଶ୍ୱର ରହିଥିବା ସ୍ପଷ୍ଟ ହୋଇଛି । ବ୍ରାଉନସୁଗାର କାରବାର ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୪ ଜଣଙ୍କ ମଧ୍ୟରୁ ୩ ଜଣ ଅରଡ ବଜାରର ହୋଇଥିବା ବେଳେ ଜଣଙ୍କ ଘର ଜଳେଶ୍ୱର ଫୁଲାଡି ଅଞ୍ଚଳର । ଆସନ୍ତାକାଲି ସମସ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୋଲିସ ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ମାଛ ବେପାରୀ ବୋଲି କହିଛନ୍ତି ବାଲେଶ୍ୱର ଏସପି । ସମ୍ଭବତଃ ଏମାନେ ମାଛ ପେଟରେ ବ୍ରାଉନସୁଗାର କାରବାର କରୁଥିବା ସନ୍ଦେହ କରାଯାଉଛି । ୨୦୧୭ରେ କିଲେରୁ ଦୁଇ କିଲ ବ୍ରାଉନସୁଗାର ଜବତ ହୋଇଥିଲା । ପୂର୍ବରୁ ବିଭିନ୍ନ ଉପାୟରେ, ବିଭିନ୍ନ ସାମଗ୍ରୀରେ ବ୍ରାଉନସୁଗାର ଚାଲାଣ ହୋଇଥିବା କଥାକୁ ପର୍ଦ୍ଦାଫାଶ କରିଛି ପୋଲିସ । ମାତ୍ର ମାଛ ପେଟରେ ବ୍ରାଉନସୁଗାର କାରବାର କରିବା ଏକ ନୂଆ କୌଶଳ । ଯାହାର ଖୁଲାସା ଖୁବଶୀଘ୍ର କରିବ ପୋଲିସ ।