କନକ ବ୍ୟୁରୋ : ଦେଶରେ କରୋନାର ତୃତୀୟ ଲହର ଆସିଥିବା ନେଇ ଅଧିକାରୀ ସ୍ତରରେ ଘୋଷଣା ହୋଇନଥିଲେ ବି ଏବେର ସ୍ଥିତି କହୁଛି କି ଦେଶରେ ଅନେକ ରାଜ୍ୟରେ ଏବେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଛି । ଏହାସହ କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ଦେଶବାସୀ ଖୁବ ଚିନ୍ତିତ ଅଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ଜାନୁଆରୀ ୩ ତାରିଖରୁ ୧୫-୧୮ ବର୍ଷ ବୟସ୍କ କିଶୋରଙ୍କୁ ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମଣ୍ଡାଭିୟା ଦେଇଥିବା ସୂଚନା ମୁତାବକ ଦେଶରେ କିଶୋର ଟିକାକରଣ ୧ କୋଟି ପାର କରିଛି ।
ସେହିଭଳି ଦେଶରେ ଚାଲିଥିବା ସାର୍ବଜନୀନ କୋଭିଡ ଟିକାକରଣ ୧୪୭ କୋଟି ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଜାନୁଆରୀ ୪ ତାରିଖ ଅପରାହ୍ନ ସୁଦ୍ଧା ୧୪୭,୫୨,୪୯,୨୩୪ ଜଣ ଲୋକଙ୍କୁ କୋଭିଡ ଟିକା ଦିଆଯାଇଛି । ଗତକାଲି ଗୋଟିଏ ଦିନରେ ୯୯,୨୭,୭୯୭ ଜଣ ଲୋକ ଟିକା ନେଇଛନ୍ତି । ସେହିଭଳି ଆଜି ମଧ୍ୟାହ୍ନ ସୁଦ୍ଧା ଦେଶରେ ୭୯,୫୨,୦୮୫ ଡୋଜ ଟିକା ଦିଆଯାଇଛି । ସେଥି ମଧ୍ୟରୁ ୫୨,୭୦,୪୦୨ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୨୬,୮୨,୫୮୩ ଜଣ ଦ୍ୱିତୀୟ ଡୋଜ ନେଇଛନ୍ତି ।
ମୋଟ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୮୫,୯୬,୯୬,୮୦୯ ଜଣ ଟିକାର ପ୍ରଥମ ଡୋଜ ନେଇଥିବା ବେଳେ ୬୧,୫୫,୫୨,୪୨୫ ଜଣ ଟିକାର ଉଭୟ ଡୋଜ ନେଇସାରିଛନ୍ତି । ଆଜି ଦେଶର ୧,୦୬,୩୨୯ ଟି ସରକାରୀ ଓ ୧୯୧୪ ଟି ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ପ୍ରଦାନ କରାଯାଉଛି ।
Over 1 crore youngsters between 15-18 age group have received 1st dose of #COVID19 vaccine: Health Minister Mansukh Mandaviya
— ANI (@ANI) January 5, 2022
ଅନ୍ୟପଟେ ୧୫ ରୁ ୧୭ ବର୍ଷ ମଧ୍ୟରେ ଆଜି ୩୩,୯୬,୩୧୧ ଜଣ କିଶୋର ଟିକା ନେଇଛନ୍ତି । ସେହିଭଳି ୧୮-୪୫ ବର୍ଷ ମଧ୍ୟରେ ୩୫,୭୨,୫୮୨ ଜଣ ଟିକା ନେଇଥିବା ବେଳେ ୪୫-୬୦ ବର୍ଷ ମଧ୍ୟରେ ୬,୫୩,୯୭୮ ଏବଂ ୬୦ ବର୍ଷରୁ ଉର୍ଦ୍ଧ ୩,୩୧,୧୧୪ ଜଣ ଟିକା ନେଇଛନ୍ତି ।