କନକ ବ୍ୟୁରୋ : ସୋଶିଆଲ ମିଡିଆରେ ଭାଇରାଲ ହୋଇଥିବା ଦୁଇ ମହିଳାଙ୍କ ନିବସ୍ତ୍ର ଫୁଟେଜକୁ ନେଇ ଏବେ ସାରା ଦେଶ ନିନ୍ଦିତ । ମଣିପୁରରୁ ଆସିଥିବା ଏହି ଖବରକୁ ନେଇ ନ୍ୟାୟପାଳିକା ଠୁ କାର୍ଯ୍ୟପାଳିକା ଏବଂ ବ୍ୟବସ୍ଥାପିକା ସମସ୍ତେ ଚିନ୍ତିତ । ସାରା ଦେଶର ରାଜନୈତିକ ଦଳ ମହିଳାଙ୍କୁ ସମ୍ମାନ ଦେବା ଦିଗରେ, କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢାଓର ନାରା ଦେଇ ଆଗକୁ ବଢୁଛନ୍ତି । ଏହି ସମୟରେ ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇବା ଘଟଣା ସାରା ଦେଶକୁ ସ୍ତବ୍ଧ କରାଇ ଦେଇଛି । ଆଉ ଯାହା ସାରା ଦେଶରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଛିଡା କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଖୁୟରୁମ ହେରାଦସକୁ ଥଉବଲ ଜିଲ୍ଲାରୁ ଗିରଫ କରାଯାଇଛି । ଅନ୍ୟ ମାନଙ୍କୁ ଗିରଫ କରିବାକୁ ମଣିପୁର ପୋଲିସ ୧୨ଟି ଟିମ୍ ଗଠନ କରି ଚଢାଉ ଜାରି ରଖିଛି ।

Advertisment

ଦୁଇ ମାସରୁ ଅଧିକ ଦିନ ହେବ ମଣିପୁରରେ ହିଂସା ଜାରି ରହିଛି । ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ଏଭଳି ଏକ ବର୍ବୋରଚିତ କାଣ୍ଡ ସାମ୍ନାକୁ ଆସିଛି । ମେ ମାସର ଏହି ଘଟଣା ପାଖାପାଖି ଦୁଇ ମାସ ପରେ ସାମ୍ନାକୁ ଆସିଛି  । ଯେଉଁଥିରେ କୋଙ୍ଗପକି ଜିଲ୍ଲାରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ପରେଡ୍ କରାଇବା ପରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି ବୋଲି ଜଣାପଡିଛି । ଏମିତିକି ତାଙ୍କ ଭାଇଙ୍କୁ ମଧ୍ୟ ହତ୍ୟା କରାଯାଇଛି । ମହିଳାଙ୍କୁ ନିବସ୍ତ୍ର କରି ପରେଡ କରାଇବା ଏକ ସ୍ପର୍ଶକାତର ଭିଡିଓ ହୋଇଥିବାରୁ ଏହାକୁ ସେୟାର ନକରିବାକୁ କେନ୍ଦ୍ର ସରକାର କହିଛନ୍ତି । ଏମିତିକି ଏ ବାବଦରେ ଫେସବୁକ, ଟ୍ୱିଟର ଭଳି ସୋଶିଆଲ ମିଡିଆ କଂପାନୀକୁ ଅବଗତ କରାଇ ରୋକ୍ ଲଗାଇବାକୁ କୁହାଯାଇଛି । ଜତୀୟ ମହିଳା କମିଶନ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ଏବଂ ଡିଜିପିଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ ସହ କଥା ହୋଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।

ହିଂସା ବେଳେ ବର୍ବୋରଚିତ ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲା ଏବଂ ଏହା ପଛର ଉଦ୍ଦେଶ୍ୟ କଣ ତାହା ଏବେ ତଦନ୍ତ ସାପେକ୍ଷ ।