କନକ ବ୍ୟୁରୋ: ଗ୍ରୀଷ୍ମ ପ୍ରକୋପରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ରାଜ୍ୟବାସୀଙ୍କୁ ଖୁବଶୀଘ୍ର ଏଥିରୁ ଆଶ୍ୱସ୍ତି ମିଳିବ। ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ଆଗୁଆ ପହଞ୍ଚିପାରେ। ପାଣିପାଗ ବିଜ୍ଞାନୀମାନେ ଏମିତି ପୂର୍ବାନୁମାନ କଲେଣି। ଯଦିଓ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଯାଏ ନିର୍ଦିଷ୍ଟ ତାରିଖ ସଂପର୍କରେ ସୂଚନା ଦେଇନାହିଁ, କିନ୍ତୁ ପାଖାପାଖି ଏକ ସପ୍ତାହ ଆଗୁଆ କେରଳ ଛୁଇଁବ ବୋଲି ଆଶା କରାଯାଉଛି। ଗତାକଲି ଅନ୍ୟ ଏକ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ସ୍କାଏମେଟ ପୂର୍ବାନୁମାନ କରି ୨୮ ତାରିଖ ସୁଦ୍ଧା ମୌସୁମୀ କେବଳ ପହଞ୍ଚିବାର ସମ୍ଭାବନା ଥିବା କହିଛି। ସାଧାରଣତଃ ଜୁନ୍ ପହିଲା ବେଳକୁ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥାଏ। ଏଣୁ ଓଡ଼ିଶାରେ ମଧ୍ୟ ମୌସୁମୀ ନିର୍ଦିଷ୍ଟ ସମୟ ଆଗରୁ ପହଞ୍ଚିବା ସମ୍ଭାବନା ଅଧିକ।

Advertisment

ଚଳିତବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ପୂର୍ବରୁ ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ସ୍କାଏମେଟ ପୂର୍ବାନୁମାନ କରି ସାରିଛନ୍ତି। ଏଥର ଭଲ ବର୍ଷା ହେବ ବୋଲି ପୂର୍ବରୁ କୁହାଯାଇଥିବା ବେଳେ ଆଗୁଆ ମୌସୁମୀ କୃଷକଙ୍କ ପାଇଁ ଖୁସି ଖବର ଆଣିବ ବୋଲି କୁହାଯାଉଛି।

ସ୍କାଏମେଟର ପୂର୍ବାନୁମାନ ମୁତାବକ, ଆସନ୍ତା ୨୦ ତାରିଖ ବେଳକୁ ମୌସୁମୀ ବାୟୁ ଆଣ୍ଡାମାନ ନିକୋବରରେ ପହଞ୍ଚିବ ଏବଂ ୨୪ ତାରିଖରେ ଶୀଲଙ୍କା ଉପକୂଳ ଛୁଇଁବ। ତେବେ ଶ୍ରୀଲଙ୍କା ପହଞ୍ଚିବା ପରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ୨୮ ତାରିଖ ସୁଦ୍ଧା ଏହା କେରଳରେ ପହଞ୍ଚିବ।