ବ୍ରିଟେନରେ ଆହୁରି ଶକ୍ତ ହୋଇପାରେ କୋଭିଡ କଟକଣା : ବୋରିସ ଜନସନ କହିଲେ ଚଳିତ ମାସରେ ଖୋଲିବ ନାହିଁ ଶିକ୍ଷାନୁଷ୍ଠାନ

ରବିବାର ଗୋଟିଏ ଦିନରେ ୫୫ ହଜାର ନୂଆ ମାମଲା ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସଂକେତ

67

କନକ ବ୍ୟୁରୋ : ବ୍ରିଟେନରେ ନୂଆ କୋଭିଡ ଷ୍ଟ୍ରେନର ବ୍ୟାପକ ସଂକ୍ରମଣ କାରଣରୁ ଆହୁରି କଠୋର ହୋଇପାରେ କଟକଣା । ଲଣ୍ଡନରେ କରୋନା କଟକଣାକୁ ଆହୁରି କଡାକଡି କରିବା ଲାଗି ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ରବିବାର ଏଠାରେ ନୂଆ ୫୫ ହଜାର ମାମଲା ସାମ୍ନାକୁ ଆସିଥିଲା । ଏହାପରେ ସୋମବାର ଚିନ୍ତା ପ୍ରକାଶ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ସେଥିପାଇଁ ଚଳିତ ମାସରେ ମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

କରୋନାର ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ପର୍ଯ୍ୟନ୍ତ ଦୃତ ବେଗରେ ସଂକ୍ରମିତ ହେଉଛି । ତେଣୁ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ସହ, ହେଟେଲ, ରେଷ୍ଟୁରାଂଟ, ବାର ଓ ପବ୍ ଭଳି ଜନଗହଳି ହେଉଥିବା ସ୍ଥାନଗୁଡିକ ଖୋଲିବା ଉପରେ ଶକ୍ତ ପ୍ରତିବନ୍ଧକ ଲଗାଯାଇଛି । ତଥାପି କରୋନାର ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏଠାରେ ୭୫ ହଜାରରୁ ଅଧିକ କୋଭିଡ ମୃତ୍ୟୁ ହେଲାଣି । ଯାହା ସମଗ୍ର ୟୁରୋପରେ ଦ୍ୱିତୀୟ ସର୍ବାଧିକ । ତେଣୁ ଆଗକୁ ଆହୁରି କଠିନ ସପ୍ତାହ ଆସୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ।