ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ପଞ୍ଜାବରେ ଚିକିତ୍ସିତ ହୋଇପାରିବେ ବାହାର ରାଜ୍ୟର କରୋନା ସଂକ୍ରମିତ

814

କନକ ବ୍ୟୁରୋ : ବାହାର ରାଜ୍ୟରୁ ଆସୁଥିବା କରୋନା ସଂକ୍ରମିତମାନେ ପଞ୍ଜାବରେ ଚିକିତ୍ସିତ ହୋଇପାରିବେ । ଏନେଇ ପଞ୍ଜାବ ସରକାର ଘୋଷଣା କରି କହିଛନ୍ତି କି ଯଦି କୌଣସି ବାହାର ରାଜ୍ୟର କରୋନା ସଂକ୍ରମିତ ପଞ୍ଜାବରେ ଚିକିତ୍ସିତ ହେବାକୁ ଚାହିଁବେ ତେବେ ତାଙ୍କୁ ପଞ୍ଜାବରେ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇ ଦିଆଯିବ । ଏହାସହ ବାହାର ରାଜ୍ୟରୁ ଆସୁଥିବା ସଂକ୍ରମିତଙ୍କ ପାଇଁ ପଞ୍ଜାବ ସରକାର ରାଜ୍ୟ ହସ୍ପିଟାଲ ମାନଙ୍କରେ ୨୫ ପ୍ରତିଶତ ବେଡ ସଂରକ୍ଷିତ ରଖିଥିବା କଥା ଦାବି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି କି ଅକ୍ସିଜେନ ଅଭାବ କାରଣରୁ ହରିଆଣା ଓ ଦିଲ୍ଲୀ ଭଳି ଅନ୍ୟ କିଛି ରାଜ୍ୟରୁ ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କୁ ପଞ୍ଜାବ ସରକାର ଚିକିତ୍ସା ଯୋଗାଇ ଦେବେ । ଅନ୍ୟ ରାଜ୍ୟରୁ ଆସୁଥିବା ସଂକ୍ରମିତ ବି ଆମ ଦେଶର ଲୋକ ବୋଲି ସେ କହିଥିଲେ ।
ଅନ୍ୟପଟେ ପଞ୍ଜାବରେ ଦେଖାଦେଇଥିବା ଅକ୍ସିଜେନର ଅଭାବକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅକ୍ସିଜେନ ସିଲିଣ୍ଡର କଳାବଜାରୀ, ଲାଭ ଆଶାରେ ଅଧିକ ଷ୍ଟକ ଓ ବାହାର ରାଜ୍ୟକୁ ଚୋରାରେ ଚାଲାଣ ହେଉଥିବା ନେଇ ସୂଚନା ଆସିବା ପରେ ସେମାନଙ୍କ ଉପରେ କଡା କର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।
ଏହାସହ ଘରୋଇ ହସ୍ପିଟାଲରେ ବେଡ ସଂଖ୍ୟା ବଢାଇବାକୁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି ସରକାରଙ୍କ ତରଫରୁ ବି ଘରୋଇ ହସ୍ପିଟାଲକୁ ଅକ୍ସିଜେନ ଯୋଗାଇ ଦିଆଯିବ ଓ ଅକ୍ସିଜେନ ଅଭାବରୁ କିଛି ଦୁର୍ଘଟଣା ହେଲେ ଘରୋଇ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ନାହିଁ ।
ଅକ୍ସିଜେନ ଯୋଗାଣ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ କେନ୍ଦ୍ର ସରକାରଙ୍କ ନିକଟରେ ଅତିରିକ୍ତ ସିଲିଣ୍ଡର ପାଇଁ ଦାବି କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।