କଟକ-ଭୁବନେଶ୍ୱର ଆସି ଚିକିତ୍ସା କରିବାରେ ରାଜ୍ୟ ବାହାର ରୋଗୀଙ୍କୁ ନାହିଁ ବାରଣ । ଗତକାଲିର ଚିଠି ଉପରେ ସ୍ପଷ୍ଟିକରଣ ରଖିଲେ ରାଜ୍ୟ ସରକାର : ସ୍ୱାସ୍ଥ୍ୟ ସଚିବ କହିଲେ, ଗୁରୁତର ରୋଗୀଙ୍କ ଚିକିତ୍ସା ସୁବିଧାକୁ ମଜବୁତ କରିବା ଉଦ୍ଦେଶ୍ୟରେ ହୋଇଥିଲା ଚିଠି

192

କନକ ବ୍ୟୁରୋ : ଗୁରୁତର ରୋଗୀଙ୍କୁ କଟକ-ଭୁବନେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗରେ ଜିଲ୍ଲାପାଳ ଏବଂ ସିଡିଏମ୍ଓ ମାନଙ୍କୁ କରାଯାଇଥିବା ଚିଠିକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସରକାର । ରାଜ୍ୟ ସରକାର କହିଛନ୍ତି-ଗୁରୁତର ରୋଗୀଙ୍କୁ ଭୁବନେଶ୍ୱର-କଟକ ଆଣିବାକୁ ସରକାର ମନା କରିନାହାଁନ୍ତି । ବାହାର ଜିଲ୍ଳାର ରୋଗୀଙ୍କୁ କଟକ-ଭୁବନେଶ୍ୱର ଆସିବା ଉପରେ କୌଣସି ରୋକ ଲଗାଯାଇନାହିଁ । ଗୁରୁତର ରୋଗୀଙ୍କ ଚିକିତ୍ସା ସୁବିଧା ଯେମିତି ମଜବୁତ ହେବ ଉପରେ ଗୁରୁତ୍ୱ ଦିଆଯାଇଛି ।

ରୋଗୀଙ୍କୁ କଟକ ଭୁବନେଶ୍ୱର ଆସିଲା ବେଳେ ଯେମିତି ଅସୁବିଧା ନହେବ ସେଥି ପ୍ରତି ଗୁରୁତ୍ୱ ଦିଆଯାଇଛି । କଟକ-ଭୁବନେଶ୍ୱରରେ ରାଜ୍ୟର ସବୁ ଅଂଚଳର ରୋଗୀ ଚିକିତ୍ସା ପାଇବାର ଅଧିକାର ରହିଛି । ବିନା ପ୍ରସ୍ତୁତିରେ ରୋଗୀ ସ୍ଥାନାନ୍ତର କରିବା ଯୋଗୁଁ ଅଘଟଣର ଆଶଙ୍କା ରହିଛି । ତେଣୁ ଏସବୁ ଦୃଷ୍ଟିରେ ରଖି ଚିଠି କରାଯାଇଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।

ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରି ସୂଚନା ଦେବା ପରେ ସ୍ୱାସ୍ଥ୍ୟ ସଚିବ ତଥା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ମହପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ଚିଠି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା- ଯେଉଁ କୋଭିଡ୍ ରୋଗୀ କ୍ରିଟିକାଲ କେୟାରର ଆବଶ୍ୟକ କରୁଛନ୍ତି, ସେମାନଙ୍କୁ ପ୍ରଥମେ ଜିଲ୍ଲାସ୍ତରରେ ଆଇସିୟୁ ଚିକିତ୍ସା ଦେବା ପାଇଁ ବ୍ୟବସ୍ଥା କରାଯାଉ । ସେହିପରି ରୋଗୀଙ୍କୁ ସ୍ଥାନାନ୍ତର ବେଳେ ହସ୍ପିଟାଲ ମଧ୍ୟରେ ସମନ୍ୱୟ ରହିଲେ, ରୋଗୀ ସ୍ଥାନାନ୍ତରଣ ବେଳେ ଅସୁବିଧା ହେବ ନାହିଁ ବୋଲି କୁହାଯାଇଥିଲା । ଆଉ ଏହି ଚିଠିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ।

ବିରୋଧୀଙ୍କ ଅଭିଯୋଗ ଏବଂ ରାଜ୍ୟ ସରକାରଙ୍କ ସ୍ପଷ୍ଟିକରଣ ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ, କଟକ-ଭୁବନେଶ୍ୱରେ ଥିବା କୋଭିଡ୍ ହସ୍ପିଟାଲ ଗୁଡ଼ିକରେ ଏବେ ଆଇସିୟୁ ବେଡ୍ର ଅଭାବ ସୃଷ୍ଟି ହୋଇଛି । ଆଉ ଠିକ୍ ଏମିତି ବେଳେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ସାରା ରାଜ୍ୟରେ ବ୍ୟବସ୍ଥାକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।