ରାଜନୀତିର ବାହାଘର: ବିଜେପି-ବିଜେଡି ବିବାହ! କଂଗ୍ରେସ ସାଜିଲା କର୍ତ୍ତା

301

କନକ ବ୍ୟୁରୋ: ରାଜଧାନୀରେ ରାଜନୀତିର ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଯେତେବେଳେ ବିଜେଡି-ବିଜେପି ମଧ୍ୟରେ ବାହାଘର କରାଇଛି କଂଗ୍ରେସ । ଦଳର ଅଭିଯୋଗ ହେଲା, ଦୀର୍ଘ ବର୍ଷ ହେଲା ବିଜଡି ଓ ବିଜେପି ସମ୍ପର୍କରେ ଅଛନ୍ତି । ତେଣୁ ପ୍ରତିକାତ୍ମକ ବିବାହରେ ସମ୍ପର୍କକୁ ସ୍ୱିକୃତି ଦେଇଛି କଂଗ୍ରେସ । ଗତ ବର୍ଷ ତେଲେଙ୍ଗାନାରେ ମଧ୍ୟ ବିଜେପି ଓ ବିଆରଏସ ମଧ୍ୟରେ ବିବାହ କରାଇଥିଲା କଂଗ୍ରେସ । ହେଲେ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଭୟ ବିଜେପି ଓ ବିଜେଡି ।

କଂଗ୍ରେସ ଭବନରେ ବିବାହ ଉତ୍ସବ । ନିମନ୍ତ୍ରଣ କାର୍ଡ ବଂଟା ହୋଇଛି । ବେଦୀ ସଜା ହୋଇଛି, ସାହାନାଇ ବାଜୁଛି, ଡିଜେ ବାଜୁଥିବା ବେଳେ ଅତିଥି ବି ଆସିଛନ୍ତି । ହୋମ ହେବା ସହ ମନ୍ତ୍ର ଉଚ୍ଚାରଣରେ ଧୁମଧାମରେ ଚାଲିଛି ବିବାହ ଉତ୍ସବ । କିନ୍ତୁ ଏହା ସାଧାରଣ ବାହାଘର ନୁହେଁ ଏ ହେଉଛି ରାଜନୀତିର ବାହାଘର । ଏଠି ବିଜେପିକୁ ବର, ବିଜେଡିକୁ କନିଆ ସଜାଇଛି କଂଗ୍ରେସ । ନିର୍ବାଚନ ପାଖେଇ ଆସୁଥିବା ବେଳେ କଟାକ୍ଷ ରାଜନୀତିକୁ ଆଉ ଏକ ପାଦ ଆଗକୁ ବଢ଼ାଇଛି ଦଳ । ଏହି ପ୍ରତୀକାତ୍ମକ ବିବାହ ଉତ୍ସବରେ ନିଜେ ପିସିସି ସଭାପତି ବର କର୍ତା ହୋଇଥିବା ବେଳେ କନ୍ୟାପିତା ହୋଇଛନ୍ତି ସୁର ରାଉତରାୟ । ବରଯାତୀ ଶୋଭାଯାତ୍ରାରେ ନାଚି ନାଚି ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା ନେଇ ଅଭିଯୋଗ କରିଆସୁଥିବା ବେଳେ ଲୋକଙ୍କ ନିକଟରେ ଏହି ବାର୍ତା ପହଁଚାଇବା ପାଇଁ ଏପରି ନିଆରା ରଣନୀତି ଆପଣାଇଛି କଂଗ୍ରେସ । ପ୍ରତୀକାତ୍ମକ ଭାବେ ଧୂମଧାମରେ କରିଛି ବିଜେଡି ଓ ବିଜେପି ବାହାଘର ।

କଂଗ୍ରେସ ଅଭିଯୋଗ କରିଛି, ୨୦୧୯ ପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରିଆସିଛି ବିଜେଡି । ଯେତେବେଳେ କେନ୍ଦ୍ର ସରକାର ଅଡୁଆରେ ପଡିଛି, ସମର୍ଥନରେ ବିଜେଡି ଛିଡ଼ା ହୋଇଛି । ବାହାରକୁ ପ୍ରତିଦ୍ୱନ୍ଦ୍ୱି, ହେଲେ ଭିତରେ ବିଜେପି-ବିଜେଡି ମଧ୍ୟରେ ବୁଝାମଣା ହୋଇଥିବା ଅଭିଯୋଗ କରିଛି ଦଳ । ହେଲେ, କଂଗ୍ରେସର ଅଭିଯୋଗକୁ ଉଭୟ ବିଜେଡି-ବିଜେପି ଖଣ୍ଡନ କରିବା ସହ ଏହା ଭିତିହୀନ ବୋଲି କହିଛନ୍ତି ।

ଗତବର୍ଷ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ବିଆରଏସ ଓ ବିଜେପି ମଧ୍ୟରେ ବାହାଘର କରି ଦୁଇ ଦଳର ସଂପର୍କକୁ କଟାକ୍ଷ କରିଥିଲା କଂଗ୍ରେସ । ତେଲେଙ୍ଗାନା ବିଜୟ ଭଳି ଓଡ଼ିଶାରେ ଏହି ଫର୍ମୁଲା ଫାଇଦା ଆଣିବ ବୋଲି ଆଶା ରଖିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ।