କଲେଜ ଛାତ୍ରୀଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ । କଟକ ମାନସିଂହପାଟଣା ଅଂଚଳରେ ନିଆଁ ଲାଗିଯାଇଥିବା ଘରୁ ହାତଗୋଡ ବନ୍ଧା ଅବସ୍ଥାରେ ଉଦ୍ଧାର । କିଏ ଓ କାହିଁକି ପୋଡି ମାରିବାକୁ କରୁଥିଲେ ଉଦ୍ୟମ, କାରଣ ଖୋଜୁଛି ପୋଲିସ ।

166

କନକ ବ୍ୟୁରୋ : କଟକ ଭଳି ଏକ ଜନଗହଳିପୂର୍ଣ୍ଣ ସହରରେ ଜଣେ ଯୁବତୀଙ୍କ ଘରେ କିଛି ଦୁବୃର୍ତ୍ତ ପଶିଛନ୍ତି ଆଉ ହାତଗୋଡ ବାନ୍ଧି ଯୁବତୀଙ୍କୁ ଜାଳିବାକୁ ଉଦ୍ୟମ କରିଛନ୍ତି । ପୋଲିସକୁ ଭୟ ନାହିଁ, କି ଲୋକଙ୍କୁ ଭୟ ନାହିଁ, କି ଆଇନକୁ ଖାତିର ନାହିଁ । ଦିନଦ୍ୱିପ୍ରହରରେ ଯୁବତୀଙ୍କୁ ପ୍ରଥମେ ମାଡ ମାରିଛନ୍ତି ପରେ ନିଆଁରେ ପୋଡି ମାରିଦେବାକୁ ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କ ବର୍ତମାନ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ନୃଶଂସ, ବର୍ବରଚିତ, ଅମାନୁଷିକ । ଯୁକ୍ତ ୨ ବିଜ୍ଞାନରେ ପାଠ ପଢୁଥିବା କଟକର ଯୁବତୀଙ୍କ ସହ ଯାହା ଘଟିଛି, ତାହା ଏତିକି ଶବ୍ଦରେ ବୟାନ କରିବା ବି ସମ୍ଭବ ହେଉନି । ଯୁବତୀ ଜଣଙ୍କୁ ଜୀବନ୍ତ ଜାଳିଦେବା ପାଇଁ ଉଦ୍ୟମ କରାଯାଇଛି । ଏହି ଅମାନୁଷିକ କାଣ୍ଡ ଘଟାଇଛନ୍ତି ୪ଜଣ ଦୁବୃର୍ତ ।

ଘରେ କେହି ନଥିବାର ସୁଯୋଗ ନେଇ ୪ଜଣ ଯୁବକ କଟକ ମାନସିଂପାଟଣାରେ ଥିବା ଘରେ ପଶିଥିଲେ । ଯୁବତୀ ଜଣଙ୍କ ଏକୁଟିଆ ଥିବାର ସୁଯୋଗ ନେଇ ମାରିବାକୁ ଉଦ୍ୟମ କରିଥିଲେ । ପୂରା ଘଟଣା କିଛି ଏହିପରି ଥିଲା ।

ଯୁବତୀ ତାଙ୍କ ମଉସାଙ୍କୁ ଦେଇଥିବା ସୂଚନା ଅନୁସାରେ, ୪ଜଣ ଅଜଣା ଯୁବକ ଘରେ ପଶିବା ପରେ ଯୁବତୀଙ୍କ ହାତଗୋଡକୁ ବାନ୍ଧି ଦେଇଥିଲେ । ପରେ ହାତରେ ନିଶା ଇଞ୍ଜେକସନ ଦେଇଥିଲେ । ପେଟ୍ରୋଲ ଓ କିରାସିନ ଢାଳିଥିଲେ ଯୁବତୀଙ୍କ ଉପରେ । ଆଉ ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିବାରୁ ଯୁବତୀଙ୍କ ଶରୀରର କିଛି ଅଂଶ ପୋଡି ଯାଇଛି । ଘରର ଅନେକ କିଛି ଜଳି ଯାଇଛି ।

ଘରେ ନିଆଁ ଲାଗିବାର ଦେଖି ଦୌଡି ଆସିଥିଲେ ଘରର ମାଲିକ ଏବଂ ଆଖପାଖ ଅଞ୍ଚଳର ଲୋକ । ଗୁରୁତର ଆହତ ଅବସ୍ଥାରେ ଯୁବତୀଙ୍କୁ ସେମାନେ ନିଆଁ ଲାଗିଥିବା ଘର ଭିତରୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ଦମକଳ ଗାଡି ପହଂଚି ନିଆଁକୁ ଆହତ କରିଛି । ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ।

ସନ୍ଦେହ କରାଯାଉଛି, ଏହି ମରଣାନ୍ତକ ଆକ୍ରମଣ ପଛର କାରଣ ପୂର୍ବ ଶତୃତା ହୋଇଥାଇପାରେ । ପ୍ରେମ ସମ୍ପର୍କ ଏବଂ ଭିଡିଓ ଭାଇରାଲକୁ ନେଇ ୪ଜଣ ଦୁବୃର୍ତ ଏହି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ତେବେ କେଉଁ କାରଣ ପାଇଁ ଏହି ଆକ୍ରମଣ ହୋଇଛି, ଯୁବତୀଙ୍କ ସହିତ ଆକ୍ରମଣକାରୀଙ୍କର ପୂର୍ବର କିଛି ସମ୍ପର୍କ ଥିଲା କି ନାହିଁ ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ କଟକ ସହରରେ ଏହି ଘଟଣା ଘଟିଥିବା ବେଳେ କେମିତି କାହାର ନଜରରେ ଏହି ଦୁବୃର୍ତମାନେ ପଡିଲେ ନାହିଁ ଏବେ ତାକୁ ନେଇ ପ୍ରଶ୍ନ ଉଠିିଛି । ଏବେ ଘଟଣା ଘଟିଥିବା ଘରେ ତାଲା ପକାଇ ଦେଇଛି ପୋଲିସ । ସାଇଂଟିଫିକ୍ ଟିମ୍ ଆସି ଘଟଣାସ୍ଥଳରେ ପହଂଚି ଛାନବିନ କରୁଛି । ତେବେ ଯୁବତୀ ଜଣଙ୍କ ବୟାନ ଦେବା ପରେ ପୂରା ଘଟଣା ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ କହିଛି ।