ଓଟିଭି ସାରୁଅ ଜମି ଦୁର୍ନୀତି ମାମଲା : ସାରୁଅ ମହିଳା ସମିତିର ସଭାପତିଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କ ଇସ୍ତଫା , ମିଥ୍ୟା ପ୍ରତିଶ୍ରୁତି ଦେଇ ଜମି ଅଧିଗ୍ରହଣ କରିଥିବା ଅଭିଯୋଗ; ଦଳିତଙ୍କ ଜମିରେ ହୋଇଥିଲା ମହିଳା ସମିତି ଘର

405

କନକ ବ୍ୟୁରୋ : ଖୋର୍ଦ୍ଧା ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲାରେ ବଢିଲା ଏମଡି ଜାଗି ମଙ୍ଗତପଣ୍ଡାଙ୍କ ଅଡୁଆ । ବିବାଦୀୟ ସ୍ଥାନରେ ଥିବା ମହିଳା ସମିତିର କର୍ମକର୍ତ୍ତା ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ମହିଳା ସମିତିର ସଭାପତି, କୋଷାଧ୍ୟକ୍ଷ, ଉପସଭାପତି, ଯଗ୍ମ ସମ୍ପାଦକ ଓ ଅନ୍ୟ ସଭ୍ୟ ।

ଓଟିଭି ଏମଡିଙ୍କ ପାଖକୁ ପଠାଇଥିବା ପତ୍ରରେ ସେମାନେ ଅଭିଯୋଗ କରିଛନ୍ତି ଯେ, ଦଳିତଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଓଟିଭି କର୍ତ୍ତୃପକ୍ଷ ଶାଗମାଛ ଦରରେ ଜମି କିଣିନେଇଛନ୍ତି । ଦଳିତଙ୍କୁ ଦେଇଥିବା ପ୍ରତିଶ୍ରୃତି ରକ୍ଷା କରାଯାଇନାହିଁ । ଏହାର ପ୍ରତିବାଦରେ ସେମାନେ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ସାରୁଆରେ ଓଟଭି କର୍ତ୍ତୃପକ୍ଷଙ୍କ ଜମି ହଡପ କରିଥିବା ଅଭିଯୋଗ ହୋଇଥିଲା ।

ଫଳରେ ସ୍ଥାନୀୟ ଲୋକେ ନିଜ ଚାଷଜମି ଓ ପୋଖରୀକୁ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଥିବା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପ୍ରଶାସନ ମାପଚୁପ କରି ବିବାଦୀୟ ପାଚେରୀକୁ ଭାଙ୍ଗିଥିଲା । ବିବାଦୀୟ ଜମିରେ ସାରୁଅ ମହିଳା ସମିତି ନାଁରେ ଏକ ଘର ନିର୍ମାଣ କରାଯାଇଥିଲା । ମହିଳା ସମିତି ଘର ଚାରିପାଖରେ ବିରାଟ ପାଚେରି ନିର୍ମାଣ କରାଯାଇଥିଲା ।