କନକ ବ୍ୟୁରୋ: ଓଟିପି ସ୍କାମ୍ ମାମଲାରେ ଏବେ ରାଜ୍ୟରେ ପହଁଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ପାକିସ୍ତାନୀ ଏଜେଂଟ୍ ସହ ସମ୍ପର୍କରେ ଥିବା ଅଭିଯୁକ୍ତ ଅଭିଜିତ୍କୁ ଜେରା କରିବା ପାଇଁ ଭୁବନେଶ୍ୱର ପହଁଚିଛି ଏନ୍ଆଇଏ ଟିମ୍ । କୁହାଯାଉଛି ଏନ୍ଆଇଏ ହାତରେ ଲାଗିଛି ବଡ ସୁରାକ । ଅଭିଯୁକ୍ତ ଅଭିଜିତ୍ ପାକିସ୍ତାନୀ ଏଜେଂଟ୍ ନୁର ଫାତିମାଙ୍କ ସହ ସମ୍ପର୍କରେ ଥିବା ଏନ୍ଆଇଏ ହାତରେ ସୁରାକ ଲାଗିଥିବା ଜଣାପଡିଛି । ଆଗକୁ ଏହି ମାମଲାରେ ଇଂଟେଲିଜେନ୍ସ ବ୍ୟୁରୋ, ଅଭିଜିତ୍କୁ ଜେରା କରିପାରେ ବୋଲି ଜଣାପଡିଛି ।

Advertisment

ଓଟିପି ସେୟାର କରି ପାକିସ୍ତାନ ସହ ସମ୍ପର୍କ ବଢାଇଥିବା ଏହି ମହାରାଷ୍ଟ୍ର ପୁଣେର ଏହି ଅଭିଯୁକ୍ତ ଏବେ ଓଡିଶା ଏସଟିଏଫର ରିମାଣ୍ଡରେ । ଅଭିଯୁକ୍ତ ଅଭିଜିତଠାରୁ ପାକିସ୍ତାନ ସମ୍ପର୍କୀୟ ତଥ୍ୟ ଓ ତଥ୍ୟ ଭିତିକ ପ୍ରମାଣ ଏକାଠି କରିବାକୁ ଦୁଇଦିନ ହେଲା ଭୁବନେଶ୍ୱରରେ ଡେରା ପକାଇଛି ମହାରାଷ୍ଟ୍ରର ଆଂଟି-ଟେରରିଷ୍ଟ ସ୍କାର୍ଡ ବା ଏଟିଏସ । ଏଟିଏସ ପ୍ରଶ୍ନରେ ଘାଇଲା ହୋଇଯାଇଥିବା ଅଭିଜିତ ପୁଲିସକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛି । କନକ ନ୍ୟୁଜ କ୍ୟାମେରା ଆଗରେ ନିଜ ବୟାନ ଦେଇ ଅଭିଯୁକ୍ତ କହିଛ, ପାକିସ୍ତାନୀ ଶିକ୍ଷକ ମୋତେ ଫସାଇଦେଇଛନ୍ତି । ପାଠପଢା ଛଡା ସେମାନଙ୍କ ସହିତ କୌଣସି ସମ୍ପର୍କ ନଥିଲା । ଏପରିକି ଏଟିଏସ ପଚାରିଥିବା ସମସ୍ତ ପ୍ରଶ୍ନର ଉତର ଦେଇଥିବା କହିଛି ଅଭିଯୁକ୍ତ । ଅଭିଯୁକ୍ତର ସତ-ମିଛ ଧରିବା ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା, ଏନଆଇଏ ଏବେ ଭୁବନେଶ୍ୱର ପଂହଚିଛି ।

ତଦନ୍ତ ବେଳେ ଏନଆଇଏ ହାତରେ ବହୁତ ଗୁଡିଏ ସୁରାକ ଲାଗିଥିବା ଜଣାପଡିଛି । ଅଭିଯୁକ୍ତ ଅଭିଜିତର ପାକିସ୍ତାନୀ ଏଜେଂଟ ନୁର ଫତିମା ସହିତ ଥିବା ସମ୍ପର୍କ ବାବଦରେ ଏନଆଇଏକୁ ସୁରାକ ମିଳିଛି । ଫତିମା ବହୁତ ଭାରତୀୟଙ୍କୁ ହନିଟ୍ରାପ କରି ପାକିସ୍ତାନ ପାଇଁ କାମ କରିବାକୁ ବାଧ୍ୟ କରୁଥିଲା । ଅନ୍ୟପଟେ ପାକିସ୍ତାନର ସିନିୟର ଇଂଟେଲିଜେନ୍ସ ଅଫିସର ଅବଦୁଲ୍ଲ ହମିଦ ଓରଫ ଖୁରାମ ଦେଉଥିବା ୟୁପିଆଇରେ ଟଙ୍କା ପଠାଉଥିଲା ଅଭିଜିତ । ତେବେ ଅଭିଜିତର ପାକିସ୍ତାନ ଲିଙ୍କ୍ ପଦାକୁ ଆସିବା ପରେ ଆଗାମୀ ଦିନରେ ଇଂଟେଲିଜେନ୍ସ ବ୍ୟୁରୋ ଅଭିଯୁକ୍ତକୁ ଜେରା କରି ତଦନ୍ତ ଆଗକୁ ବଢାଇବ ବୋଲି ଜଣାପଡିଛି । ଅନ୍ୟପଟେ ଅଭିଜିତ କେବେଠୁ କେତେଜଣଙ୍କୁ କେତେ ଟଙ୍କ ପଠାଇଛି ତାର ଖୋଳତାଡ ଆରମ୍ଭ ହୋଇଛି । ବ୍ୟାଙ୍କ ଆକାଂଉଟ ଯାଂଚ ପାଇଁ ଏଫ.ୟୁ.ଏ ବା ଫାଇନାନ୍ସିଆଲ ଇଂଟେଲିଜେନ୍ସ ୟୁନିଟ୍ର ସହାୟତା ମାଗିଛି ଏସଟିଏଫ । ଅଭିଜିତ ମୁହଁ ଖୋଲିଲେ ଟଙ୍କା ପାଇଁ ପାକିସ୍ତାନ ଆଗରେ ମୁଣ୍ଡ ବିକିଥିବା ବହୁ ଭାରତୀୟ ଯୁବକଙ୍କ ଅସଲ ମୁଖା ସାମ୍ନାକୁ ଆସିବ ।