କରୋନା ବିରୋଧୀ ଭାରତର ଲଢେଇରେ ମିଳିଲା ଅନ୍ୟ ଦେଶର ସହଯୋଗ । ୧୫ଟି ଦେଶ ବଢାଇଲେ ସହାୟତାର ହାତ ।

292

କନକ ବ୍ୟୁରୋ: କରୋନା ମୁକାବିଲା କ୍ଷେତ୍ରରେ ଭାରତକୁ ସହଯୋଗର ହାତ ବଢାଇଛି ବ୍ରିଟେନ । ଦେଶରେ ପହଂଚିଛି ବ୍ରିଟେନରୁ ଆସିଥିବା ପ୍ରଥମ ବ୍ୟାଚ୍ ଅକ୍ସିଜେନ କନସେନଟ୍ରେଟର ଓ ଚିକିତ୍ସା ଉପକରଣ । ଭାରତର ବୈଦେଶିକ ବ୍ୟାପର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଲୁଫ୍ଥହାନ୍ସା ବିମାନରେ ଏହି ସବୁ ସାମଗ୍ରୀ ଦିଲ୍ଲୀ ବିମାନବନ୍ଦରରେ ପହଁଚିଛି । ପ୍ରଥମ ପର୍ଯ୍ୟାୟରେ ବ୍ରିଟେନରୁ ୧୦୦ଟି ଭେଟିଂଲେଟର ଓ ୯୫ଟି ଅକ୍ସିଜେନ କନସେନଟ୍ରେଟର ଆସିଛି । ଏହାସହ ଆହୁରୀ ୪୯୫ଟି ଅକ୍ସିଜେନ କନସେନଟ୍ରେଟର ଓ ୧୨୦ଟି ଭେଂଟିଲେଟର ଭାରତକୁ ପଠାଇବ ଜର୍ମାନୀ ।

କରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଛି ଭାରତ । ଦେଶରେ ଅମ୍ଲଜାନ ଅଭାବ ପାଇଁ ହାହାକାର ପରିସ୍ଥିତି ଉପୁଜିଛି । ଏପରି ସମୟରେ ଭାରତକୁ ଅନେକ ଦେଶରୁ ସହଯୋଗ ମିଳିଛି ।

ଫ୍ରାନ୍ସ ଭାରତକୁ ବଢାଇଛି ସାହାଯ୍ୟର ହାତ । ଭାରତକୁ ୮ଟି ଅକ୍ସିଜେନ କନସେନଟ୍ରେଟର, ଅକ୍ସିଜେନ କଂଟେନର, ସ୍ୱାସ୍ଥ୍ୟ ଉପକରଣ, ୨୮ଟି ରେସପିରେଟର୍ସ ଓ ୨୦୦ଇଲେକଟ୍ରିକ ସିରିଂଜ ପମ୍ପ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ଫ୍ରାନ୍ସ । ସେପଟେ ବ୍ୟାଙ୍କକକ୍ରୁ ମଧ୍ୟ ଦିଲ୍ଲୀକୁ ଆସିଛି ସହାୟତା । ଅମ୍ଲଜାନ ଟାଙ୍କର ବ୍ୟାଙ୍କକକ୍ରୁ ଆସି ଦିଲ୍ଲୀ ବିମାନ ବନ୍ଦରରେ ପହଂଚିଛି ।

ଅମ୍ଲଜାନ ଅଭାବ ଭିତରେ ଜର୍ମାନୀ ଭାରତକୁ ୨୩ ମୋବାଇଲ ଅକ୍ସିଜେନ ଜେନେରେଟର ପ୍ଲାଂଟ ଯୋଗାଇବ । ଭୁଟାନ ମଧ୍ୟ ଭାରତକୁ ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି । ଭାରତକୁ ପ୍ରତିଦିନ ଭୁଟାନ ୪୦ମେଟ୍ରିକ ଟନ୍ ଅମ୍ଲଜାନ ଯୋଗାଇ ଦେବ । ଏଥିସହ ଦେଶରେ ଅମ୍ଳଜାନର ଘୋର ଅଭାବ ଜନିତ ସମସ୍ୟାକୁ କମ କରିବା ପାଇଁ ସିଙ୍ଗାପୁର ଓ ସାଉଦି ଆରବ ଭାରତକୁ ଅମ୍ଳଜନା ପଠାଇଛି । ଅନ୍ୟ ଦେଶରୁ ଆସୁଥିବା ସହାୟତା ପରେ ଦେଶରେ ଅମ୍ଲଜାନ ଅଭାବ କିଛି ମାତ୍ରାରେ ଦୂର ହେବ ବୋଲି ଆଶା କରାଯାଉଛି ।