କନକ ବ୍ୟୁରୋ : ବିନା କୈାଣସି ତ୍ରୁଟି ବିଚ୍ୟୁତି ବା ପ୍ରଶ୍ନପତ୍ର ଲିକ୍ ବିନା ଏକ ସୁବ୍ୟବସ୍ଥିତ ଢଙ୍ଗରେ ପରୀକ୍ଷା ପରିଚାଳନା କରିବା ପାଇଁ ଆମେ କଣ ଅସମର୍ଥ କି? ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେତେବେଳେ ପରୀକ୍ଷା ହେବାର ବହୁ ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇ ମାର୍କେଟକୁ ଆସିଯାଏ, ଆଉ ଗୋଟିଏ ପରେ ଗୋଟିଏ ମୋବାଇଲରୁ ଘୁରିବୁଲେ । ଖାଲି ଏତିକୁ ନୁହେଁ, କେଉଁ ପ୍ରଶ୍ନ ପାଇଁ କେଉଁ ଉତ୍ତର ତାହା ମଧ୍ୟ ପରୀକ୍ଷାର୍ଥୀଙ୍କ ନିକଟରେ ଉପଲବ୍ଧ ହୋଇଯାଏ । ଏହାର ଅର୍ଥ କଣ? ଯେଉଁମାନଙ୍କ ଉପରେ ଏହି ଗୁରୁ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇଛି, ସେମାନେ ନିଜ କର୍ତ୍ତବ୍ୟକୁ ସଠିକ ଭାବେ ନିର୍ବାହ କରିପାରୁନାହାନ୍ତି ।
ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ ହେବାପରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଲେଖାଯାଇଛି । କିନ୍ତୁ ଏହାର ପ୍ରଭାବ କଣ ପଡିବ? ଅତୀତର ପ୍ରଶ୍ନ ପତ୍ର ଲିକ ଘଟଣାୁ କଣ ଶିକ୍ଷା ମିଳିଛି? କ୍ରାଇମବ୍ରାଂଚ ତଦନ୍ତର ପ୍ରଭାବ କଣ? ଆଉ କଣ ପ୍ରଶ୍ନପତ୍ର ଲିକ ହେବନାହିଁ? ଏହାର ଉତ୍ତର କିଏ ରଖିବ? କେତେବେଳେ ଯୁକ୍ତ ଦୁଇ ପ୍ରଶ୍ନ ପତ୍ର ଲିକ ହୋଇଯାଉଛି ତ କେତେବେଳେ ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ଲିକ ନେଇ ଚର୍ଚ୍ଚା ହୋଇଛି । କିନ୍ତୁ ବ୍ୟବସ୍ଥା କେବେ ବି ସୁଧୁରି ପାରିନାହିଁ ।
ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ଲିକ୍ ହୋଇଛି । ଦୁଇଟି ସିଟିଂରେ ଥିବା ପରୀକ୍ଷା ପୂର୍ବରୁ ଲିକ୍ ହେଲା ଓଟିଇଟି ପ୍ରଶ୍ନପତ୍ର । ଓଟିଇଟି ପ୍ରଥମ ସିଟିଂର ଶିକ୍ଷାଶାସ୍ତ୍ର ପରୀକ୍ଷା ଥିଲା । ଆଉ ପରୀକ୍ଷା ପୂର୍ବରୁ ସୋସିଆଲ ମିଡ଼ିଆରେ ଘୁରିବୁଲିଲା ପ୍ରଶ୍ନପତ୍ର । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ଆସିବା ପରେ ପ୍ରଶ୍ନପତ୍ର ଲିକ ନେଇ ପ୍ରମାଣ ମିଳିଥିଲା । ପ୍ରଶ୍ନପତ୍ର ଲିକ ହେବାପରେ ବାତିଲ ହୋଇଯାଇଛି ଓଟିିଇଟି ପରୀକ୍ଷା ।
ତେବେ ଏହା ନୂଆକଥା ନୁହେଁ, ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି । ଗତବର୍ଷ ସିବିଏସଇ, ମାଟ୍ରିକ ଓ ବିପିୟୁଟି ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ତେବେ ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ଦର୍ଶାଉଛି, ବ୍ୟବସ୍ଥିତ ଢଙ୍ଗରେ ଗୋଟିଏ ପରୀକ୍ଷା କରାଇବାକୁ ମଧ୍ୟ ଆମେ ଅସମର୍ଥ । ପରୀକ୍ଷା ସୁପରିଚାଳନାରେ ବିଫଳତା ଜଳ ଜଳ ହୋଇ ଦେଖାଯାଉଛି । ପିଲାଙ୍କ ଭବିଷ୍ୟତ ଗଢ଼ୁଥିବା ଶିକ୍ଷକଙ୍କ ପ୍ରଶ୍ନପତ୍ର ଯଦି ଲିକ୍ ହେବ, ତେବେ କ’ଣ ହେବ ଛାତ୍ରଛାତ୍ରୀଙ୍କ ଅବସ୍ଥା ।
ଏପରି ସାଂଘାତିକ ସମସ୍ୟା ପାଇଁ ଦାୟୀ କିଏ ? କାହିଁକି ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ଘଟୁଛି ? ଗୋଟିଏ ପଟେ ରାଜ୍ୟରେ ଶିକ୍ଷକ ମରୁଡ଼ି, ଠିକା ନିଯୁକ୍ତି, ଆଉ ଏବେ ପରୀକ୍ଷା ପତ୍ର ଲିକ୍ ଶକ୍ଷାର ଭିତ୍ତିଭୁମିକୁ ଦୋହଲାଇ ଦେଉଛି । ଦୁର୍ବଳ ଭିତ୍ତିଭୂମି ଯୋଗୁଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିପାରୁନାହାନ୍ତି ଅଭିଭାବକ ।
ସରକାରୀ ଚାକିରିଟିଏ ପାଇଁ ଅବା ଚାକିରୀରେ ପଦୋନ୍ନତି ପାଇଁ ଯେଉଁ ପରୀକ୍ଷା ମାନ କରାଯାଇଥାଏ, ତାକୁ ଯଦି ସଠିକ ଢଙ୍ଗରେ ପରିଚାଳନା କରାନଯାଏ ତେବେ ବୁଝିବାକୁ ପଡିବ ପୁରା ବ୍ୟବସ୍ଥାରେ କିଛି ତ୍ରୁଟି ରହିଛି । ଅଥବା ଯେଉଁମାନେ ଦାୟିତ୍ୱରେ ଅଛନ୍ତି, ସେମାନଙ୍କ ମନରେ ଡର ବା ଭୟ ନାହିଁ । ନଚେତ ବାରମ୍ବାର ଏଭଳି ଘଟଣା ଘଟନ୍ତାନି, କିମବ୍ା କାହା ଭବିଷ୍ୟତ ସହ ଖେଳ ଖେଳିବାକୁ କେହି ସାହାସ କରିପାରନ୍ତେନି ।