କନକ ବ୍ୟୁରୋ : କର୍ପୋରେଟ୍ ସଂସ୍ଥାଗୁଡ଼ିକ କରୁଥିବା ଋଣ ଠକେଇ ବ୍ୟାଙ୍କଗୁଡ଼ିକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବାରେ ଏଭଳି ବଡ଼ ଧରଣ ଠକେଇ ଅଧିକ ଦାୟୀ। ଦେଶର ୧୩ଟି କର୍ପୋରେଟ୍ ସଂସ୍ଥାଙ୍କ ଠକେଇ ଯୋଗୁଁ ବ୍ୟାଙ୍କଗୁଡ଼ିକ ୨.୮୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁବିଏଫୟୁ) ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସରକାରଙ୍କ ଘରୋଇକରଣ ଯୋଜନାକୁ ବିରୋଧ କରି ଚଳିତ ମାସ ୧୬ ଓ ୧୭ରେ ଦୁଇଦିନିଆ ଧର୍ମଘଟ କରିବାକୁ ୟୁନିଅନ୍ ପକ୍ଷରୁ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ୟୁନିଅନ୍ର ସଂଯୋଜକ ବି ରାମବାବୁ କହିଛନ୍ତି ଯେ କର୍ପୋରେଟ୍ ଠକେଇ ଯୋଗୁଁ ବ୍ୟାଙ୍କଗୁଡ଼ିକ ବିପୁଳ କ୍ଷତି ସହିଛନ୍ତି। ୧୩ଟି କର୍ପୋରେଟ୍ ସଂସ୍ଥା ଉପରେ ବ୍ୟାଙ୍କଗୁଡ଼ିକର ୪ ଲକ୍ଷ ୮୬ ହଜାର ୮୬୦ କୋଟି ଟଙ୍କା ବାକି ଥିଲା। ସେଥିରୁ ୧,୬୧,୮୨୦ କୋଟି ଟଙ୍କା ଫେରିଥିବା ବେଳେ ବ୍ୟାଙ୍କଗୁଡ଼ିକୁ ୨,୮୪,୯୮୦ କୋଟି ଟଙ୍କା ହରାଇବାକୁ ପଡ଼ିଛି। କେବଳ ସେତିକି ନୁହେଁ ଦେବାଳିଆ ସଂସ୍ଥାଗୁଡ଼ିକୁ ଉଦ୍ଧାର କରିବା ଲାଗି ମଧ୍ୟ ସରକାରୀ ବ୍ୟାଙ୍କଗୁଡ଼ିକୁ ବ୍ୟବହାର କରାଯାଉଛି।
ଅତୀତରେ ଗ୍ଲୋବାଲ୍ ଟ୍ରଷ୍ଟ୍ ବ୍ୟାଙ୍କ, ୟୁନାଇଟେଡ୍ ୱେଷ୍ଟର୍ଣ୍ଣ ବ୍ୟାଙ୍କ, ବ୍ୟାଙ୍କ ଅଫ୍ କରାଡ୍ ଭଳି ଘରୋଇ କ୍ଷେତ୍ରର ବ୍ୟାଙ୍କକୁ ଉଦ୍ଧାର କରିବା ଲାଗି ସରକାରୀ ବ୍ୟାଙ୍କଗୁଡ଼ିକୁ ବ୍ୟବହାର କରାଯାଇଥିଲା। କିଛି ମାସ ପୂର୍ବରୁ ଷ୍ଟେଟ୍ ବ୍ୟାଙ୍କକୁ ବ୍ୟବହାର କରି ୟେସ୍ ବ୍ୟାଙ୍କକୁ ଉଦ୍ଧାର କରାଯାଇଥିଲା। କେବଳ ସେତିକି ନୁହେଁ, ଷ୍ଟେଟ୍ ବ୍ୟାଙ୍କ ଓ ଏଲଆଇସି ଭଳି ସରକାରୀ ସଂସ୍ଥାକୁ ବ୍ୟବହାର କରି ଆଇଏଲ୍ଆଣ୍ଡ୍ଏଫ୍ଏସ୍ ଭଳି ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥାକୁ ମଧ୍ୟ ସରକାର ଉଦ୍ଧାର କରିଛନ୍ତି ବୋଲି ରାମବାବୁ କହିଛନ୍ତି।
ସରକାରଙ୍କ ଅନେକ ମହତ୍ବକାଂକ୍ଷୀ ଯୋଜନା ଯଥା ଜନ ଧନ, ମୁଦ୍ରା, ସ୍ବଧନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଆଦି କାର୍ଯ୍ୟକ୍ରମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପାଇଁ ସଫଳ ହୋଇଛି। ଏଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରୁଥିବା ସରକାରୀ ବ୍ୟାଙ୍କଗୁଡ଼ିକର ଘରୋଇକରଣ ହେଲେ ଦେଶର ପଛୁଆ ଅଞ୍ଚଳ ଓ ସାଧାରଣ ଲୋକଙ୍କ ସ୍ବାର୍ଥ ପ୍ରଭାବିତ ହେବାର ଆଶଙ୍କା ରହିଛି। ସରକାର ଦୁଇଟି ବ୍ୟାଙ୍କର ଘରୋଇକରଣ କରିବା ଲାଗି ସଂସଦରେ ବିଲ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ତାହାକୁ ବିରୋଧ କରିବା ଲାଗି ଦରକାର ପଡ଼ିଲେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନେ ଆମରଣ ଅନଶନ ଭଳି ପନ୍ଥା ଗ୍ରହଣ କରିବେ ବୋଲି ରାମବାବୁ କହିଛନ୍ତି।