ବୋର୍ଡ ପରୀକ୍ଷା ଓ ମୂଲ୍ୟାୟନ ପ୍ରକ୍ରିୟାକୁ ଓଷ୍ଟାର ବିରୋଧ : ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ହେଲେ ପିଲା ଓ ଶିକ୍ଷକଙ୍କ ଉପରେ ପଡିବ ଚାପ

 କଲେଜ ଭଳି ସେମିଷ୍ଟାର ବ୍ୟବସ୍ଥା ଲାଗୁ କରିବାକୁ ସଂଘର ଦାବି 

163

କନକ ବ୍ୟୁରୋ : ବୋର୍ଡ ପରୀକ୍ଷା ଓ ଏହାର ମୂଲ୍ୟାୟନ ପ୍ରକ୍ରିୟାକୁ ବିରୋଧ । ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା ବୋର୍ଡର ନିଷ୍ପତିକୁ ବିରୋଧ କରିଛି । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ଏବଂ ୪ଟି ଗଠନମୂଳକ ମୂଲ୍ୟାୟନ ପାଇଁ ନିଷ୍ପତ୍ତି ନେଇଛି । ପ୍ରଥମେ ଛାତ୍ରଛାତ୍ରୀ ୬ ମାସରେ ଅଧା ବିଷୟରେ ବୋର୍ଡ ପରୀକ୍ଷା ଦେବେ ଓ ଶେଷରେ ସଂପୂର୍ଣ୍ଣ ବିଷୟରେ ପରୀକ୍ଷା ଦେବେ । ଏପରି ହେଲେ ସ୍କୁଲ ଛାତ୍ରଛାତ୍ରୀ ଉପରେ ଅଧିକ ଚାପ ପଡିବ ବୋଲି ଓଷ୍ଟା କହିଛି । ବୋର୍ଡ ଏପରି ନକରି କଲେଜରେ ହେଉଥିବା ସେମିଷ୍ଟାର ବ୍ୟବସ୍ଥାକୁ ଲାଗୁ କରୁ ଆଉ ପ୍ରତି ୬ ମାସରେ ପରୀକ୍ଷା କରି ଶେଷରେ ତାକୁ ମିଶାଇ ଫଳ ପ୍ରକାଶ କରନ୍ତୁ ବୋଲି ଓଷ୍ଟା କହିଛି ।

୨୦୨୨ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ପକ୍ଷରୁ ଯେଉଁ ପଦ୍ଧତି ନିର୍ଦ୍ଧାରଣ ହୋଇଛି, ସେଥିରେ ବର୍ଷକରେ ଦୁଇଟି ବୋର୍ଡ ପରୀକ୍ଷା ଓ ୪ଟି ଗଠନମୂଳକ ମୂଲ୍ୟାୟନ କରାଯିବ। ଏହା ଛାତ୍ରଛାତ୍ରୀଙ୍କ ପାଇଁ ବୋଝ ଉପରେ ନଳିତାବିଡ଼ା ସଦୃଶ ହେବ। ବର୍ଷସାରା ପରୀକ୍ଷା ଓ ମୂଲ୍ୟାୟନ ପିଲାଙ୍କୁ ଅଧିକ ଭାରାକ୍ରାନ୍ତ କରିବ । କରୋନା ମାର୍ଗଦର୍ଶିକା ଆଧାରରେ ପିଲାଙ୍କୁ ବସାଇବାରେ ଅଧିକ ସେକ୍ସନ କରାଯାଇଛି । ସେମାନଙ୍କୁ ପଢ଼ାଇବା ପାଇଁ ବିଷୟଭିତ୍ତିକ ଶିକ୍ଷକ ନାହାନ୍ତି। ନିର୍ଦ୍ଧାରିତ ସମୟରେ ପାଠ୍ୟଖସଡ଼ା ଶେଷ ହୋଇପାରୁନାହିଁ । ପିଲାଙ୍କୁ ବିଦ୍ୟାଳୟ ଆସିବା ମଧ୍ୟ ବାଧ୍ୟତାମୂଳକ କରାଯାଇନାହିଁ । ତେଣୁ ବିଦ୍ୟାଳୟ ଆସୁ ନ ଥିବା ପିଲାମାନେ କିଭଳି ଏହି ସବୁ ପରୀକ୍ଷାର ସମ୍ମୁଖୀନ ହେବେ, ସେଥିପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ବରଂ ପାଠପଢ଼ାର ସମୟ ଅବଧିକୁ କମାଇ ଦିଆଯାଇଛି ।

ଦିନକୁ ସର୍ବାଧିକ ୪ଟି ପିରିୟଡ୍‌ ପଢ଼ାଯାଉଛି । କରୋନା ପାଇଁ ଅଭିଭାବକମାନେ ବିଦ୍ୟାଳୟରୁ ପ୍ରଶ୍ନପତ୍ର ନେଇ ଘରେ ପିଲାଙ୍କୁ ପରୀକ୍ଷା କରାଇ ଉତ୍ତରଖାତାକୁ ବିଦ୍ୟାଳୟରେ ଜମା କରିବାର ଯେଉଁ ବ୍ୟବସ୍ଥା କଥା କୁହାଯାଇଛି, ତାହା ଆଦୌ ସମୀଚିନ ନୁହେଁ । ଏହା ପରୀକ୍ଷାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ପ୍ରଶ୍ନପତ୍ର ପ୍ରଘଟ ଓ ଉତ୍ତରଖାତା ବାଟରେ ଗାଏବ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଅର୍ଦ୍ଧବାର୍ଷିକ ବୋର୍ଡ ପରୀକ୍ଷାରେ କେବଳ ୫୦ ନମ୍ବର ବହୁ ବିକଳ୍ପଧାରୀ ବସ୍ତୁନିଷ୍ଠ ପ୍ରଶ୍ନ ଓ ବାର୍ଷିକ ବୋର୍ଡ ପରୀକ୍ଷାରେ ଉଭୟ ବସ୍ତୁନିଷ୍ଠ ଓ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବାର ଯେଉଁ ବ୍ୟବସ୍ଥା ନିର୍ଦ୍ଧାରଣ ହୋଇଛି, ତାହା ମେଧାବୀ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ଅନ୍ତରାୟ ସୃଷ୍ଟି କରିବ ।

ତେଣୁ ଦୁଇଟି ବୋର୍ଡ ପରୀକ୍ଷା ନକରି ଏପ୍ରିଲ୍ ମାସରେ ଗୋଟିଏ ବୋର୍ଡ ପରୀକ୍ଷା କରାଯାଉ। ସେଥିରେ ୫୦ ମାର୍କ ବହୁ ବିକଳ୍ପଧାରୀ ବସ୍ତୁନିଷ୍ଠ ପ୍ରଶ୍ନ ଓ ୩୦ ମାର୍କ ଦୀର୍ଘଉତ୍ତରମୂଳକ ପ୍ରଶ୍ନ ସହ ବିଦ୍ୟାଳୟ ଦ୍ୱାରା ଆକଳନ କରାଯାଇଥିବା ୨୦ ମାର୍କ ଆଧାରରେ ପରୀକ୍ଷା ହେଉ । ଯଦି ଦୁଇଟି ବୋର୍ଡ ପରୀକ୍ଷା କରାଯାଉଛି, ତେବେ ଉଭୟ ପରୀକ୍ଷାରେ ଦୀର୍ଘଉତ୍ତରମୂଳକ ଓ ବସ୍ତୁନିଷ୍ଠ ପ୍ରଶ୍ନ ରଖାଯାଉ । ଏହାକୁ ସେମିଷ୍ଟର୍‌ ଭାବେ ଗ୍ରହଣ କରାଯାଉ। ଗୃହ ପରୀକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବାତିଲ ହେଉ ।