କେମିତି ହେବ ମାଟ୍ରିକ ଖାତାଦେଖା? ପରୀକ୍ଷା କେନ୍ଦ୍ରରେ ସଂକ୍ରମଣର ଭୟ ଥିବାରୁ ଖାତା ଦେଖିବାକୁ ଅମଙ୍ଗ ଶିକ୍ଷକ: ହୋମ ବେସ ମୂଲ୍ୟାୟନ ବ୍ୟବସ୍ଥା ଆରମ୍ଭ କରିବାକୁ ଦାବି

ସୂଚନା ଦେଲେ ଓସ୍ଟା ସାଧାରଣ ସଂପାଦକ

397

କନକ ବ୍ୟୁରୋ: ମାଟ୍ରିକ ଖାତା ଦେଖିବାକୁ ଅମଙ୍ଗ । ପରୀକ୍ଷା କେନ୍ଦ୍ରରେ ବସି ଖାତା ଦେଖିବାକୁ ଅମଙ୍ଗ ହେଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ପରୀକ୍ଷା କେନ୍ଦ୍ରରେ ବସି ଖାତା ଦେଖିଲେ କରୋନା ଭୂତାଣୁ ସଂକ୍ରମଣ ଭୟ ଥିବା ବୋର୍ଡକୁ ଜଣାଇଛନ୍ତି ମୂଲ୍ୟାୟନକାରୀ । ସିବିଏସଇ ଭଳି ବୋର୍ଡ ପକ୍ଷରୁ ମଧ୍ୟ ହୋମବେସ୍ ମୂଲ୍ୟାୟନ ବ୍ୟବସ୍ଥା କରାଯାଉ ବୋଲି ଓସ୍ଟା ଦାବି କରିଛି । ବୋର୍ଡ ଏ କଥା ନ ବୁଝିଲେ ଶିକ୍ଷକମାନେ ଖାତାଦେଖାରେ ସହଯୋଗ କରିବେ ନାହିଁ ବୋଲି ଓସ୍ଟାର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ।

କରୋନା କଟକଣା ଭିତରେ ଆସନ୍ତା ୨୦ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା । ୨୦ ଦିନ ଭିତରେ ଖାତା ଦେଖା ସାରିବା ପାଇଁ ଆବଶ୍ୟକ ଠାରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଏବଂ ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତାକୁ ବଜାୟ ରଖାଯିବ, ସମସ୍ତ ମୂଲ୍ୟାୟନକାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା । ହେଲେ ମୂଲ୍ୟାୟନ କେନ୍ଦ୍ରରେ ବସି ଖାତା ଦେଖିଲେ ସଂକ୍ରମଣ ଭୟ ଥିବାରୁ ଖାତା ଦେଖା ପାଇଁ ଅମଙ୍ଗ ହେଉଛନ୍ତି ଶିକ୍ଷକ ।