କନକ ବ୍ୟୁରୋ : ଓଡିଶା ଷ୍ଟାଫ ସିଲେକ୍ସନ କମିଶନ, ଓଏସଏସସି ଦ୍ୱାରା ପରିଚାଳିତ ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ପରୀକ୍ଷାକୁ ରଦ୍ଦ କରିଛନ୍ତି କମିଶନ । ଏହାରି ଭିତରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବିହାରରୁ ପ୍ରଶ୍ନପତ୍ର ଲିକର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ବାଲେଶ୍ୱର ପୁଲିସ । ସଂପୃକ୍ତ ମାଷ୍ଟରମାଇଣ୍ଡ ବିଜେନ୍ଦ୍ର କୁମାର ଓ ସେ ବିହାରର ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡିଛି । ବାଲେଶ୍ୱର ଏସପିଙ୍କ କହିବା ଅନୁସାରେ,
-ଏକ ପ୍ରିଣ୍ଟିଂପ୍ରେସରୁ ଲିକ ହୋଇଥିଲା ପ୍ରଶ୍ନପତ୍ର
-ରାଜ୍ୟ ବାହାରେ ଥିଲା ଏହି ପ୍ରିଣ୍ଟିଂପ୍ରେସ
-ଆଉ ସଂପୃକ୍ତ ପ୍ରେସର ହେଲପର ମାଷ୍ଟରମାଇଣ୍ଡକୁ ସପ୍ଲାଇ କରିଥିଲେ ପ୍ରଶ୍ନପତ୍ର

Advertisment

ଆଉ ଏହି ପ୍ରଶ୍ନପତ୍ର ଓଡିଶାର ବୋଲି ଜଣାପଡିବା ପରେ ଦଲାଲମାନେ ସେମାନଙ୍କ ନେଟୱର୍କ ବିଛାଇଥିଲେ । ଏହାପରେ ଚିହ୍ନଟ ହୋଇଥିବା ପିଲାଙ୍କ ବ୍ଲାଙ୍କଚେକ ଓ ସାର୍ଟିଫିକେଟ ରଖି ପ୍ରଶ୍ନପତ୍ର ଦେବାକୁ ଯୋଜନା କରିଥିଲେ   ।

ସଂପୃକ୍ତ ପ୍ରିଣ୍ଟିଂ ପ୍ରେସର ହେଲପର ବୀରେନ୍ଦ୍ର ସିଂଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଥିବାବେଳେ ତା ନିକଟରୁ ଲକ୍ଷେ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ପ୍ରଶପତ୍ର ଲିକର ମାଷ୍ଟରମାଇଣ୍ଡ ସମେତ ଅନ୍ୟ ସାତଜଣ ବି ଗିରଫ ହୋଇଛନ୍ତି । ପୂର୍ବରୁ ଘଟଣାରେ ୯ ଜଣ ଗିରଫ ହୋଇଥିଲେ । ଏବେ ଗିରଫ ହୋଇଥିବା ମୋଟ ୧୭ଜଣଙ୍କ ମଧ୍ୟରୁ ବିହାରରୁ ୭ , ଓଡିଶାରୁ ୯ ଓ ଆନ୍ଧ୍ରରୁ ଜଣେ ଅଛନ୍ତି । ଗିରଫ ଅନ୍ୟଜଣେ ହେଉଛନ୍ତି ଗଞ୍ଜାମ ଅଂଚଳର ଗୋବିନ୍ଦ୍ର ଚନ୍ଦ୍ର ତ୍ରିପାଠୀ । ଗୋବିନ୍ଦ ହେଉଛି ପୁରା ଘଟଣାରେ ଓଡିଶାର ମାଷ୍ଟରମାଇଣ୍ଡ । ତାର ସହଯୋଗୀ ଓଡିଶାର ବିଶ୍ୱରଂଜନ . ଯିଏ ଏକ କୋଚିଂ ସେଂଟର ଚଳାଏ । ଏମାନେ ପରୀକ୍ଷାର୍ଥୀଙ୍କୁ ଯୋଗାଯୋଗ କରୁଥିଲେ । ତେବେ ଓଏସଏସସି ପରୀକ୍ଷାର୍ଥୀଙ୍କ ତଥ୍ୟ ଦଲାଲଙ୍କ ପାଖରେ କେମିତି ପଂହଚିଲା ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଗିରଫ ୧୭ ଜଣଙ୍କ ମଧ୍ୟରୁ ବିହାରର ବିଜେନ୍ଦ୍ର କୁମାର, ରାଜକୁମାର, ବିଶାଲ କୁମାର,ଆନ୍ଧ୍ରର ମହମ୍ମଦ କେ.ସିଦ୍ଦିକି, ଓଡିଶାର ବିଶ୍ୱରଂଜନ ମହାପାତ୍ର ଓ ଗୋବିନ୍ଦ ତ୍ରିପାଠୀ ପ୍ରଶ୍ନପତ୍ର ଲିକରେ ମୁଖ୍ୟ ଭୂମିକା ନେଇଥିଲେ ବୋଲି ଜଣାପଡିଛି ।

ପ୍ରଶ୍ନ ଉଠୁଛି,
-ଘଟଣା ପଛରେ ଓଏସଏସସିର କୌଣସି କର୍ମଚାରୀ ଅଛନ୍ତି ନା ନାହିଁ?
-ପ୍ରଶ୍ନପତ୍ର ରାକେଟ ହାତକୁ କେମିତି ଗଲା?
-ଗିରଫ ମାଷ୍ଟରମାଇଣ୍ଡ ମୁହଁରୁ ସତ ବାହାର କରିପାରିବ କି ପୁଲିସ?
- ଓଏସଏସସିର କୌଣସି ଅଧିକାରୀଙ୍କ ସହ ରାକେଟର ସମ୍ପର୍କ ଅଛି କି?
-ରାକେଟର ସଦସ୍ୟ ପିଲାଙ୍କ ନମ୍ବର କେଉଁଠୁ ପାଇଲେ?