ଭିଜିଲାନ୍ସ ଜେରା ବେଳେ କେଉଁ ବଡ଼ ଅଧିକାରୀଙ୍କ ନାଁ ନେଲେ ବିରଂଚି ସାହୁ ? ଓଏସଏସସି ନିଯୁକ୍ତି ଦୁର୍ନୀତିରେ ସଂପୃକ୍ତ ବଡ଼ ଅଧିକାରୀଙ୍କ ଛାତି ଧଡ଼ ଧଡ଼

356

କନକ ବ୍ୟୁରୋ : ଓଡ଼ିଶା ଷ୍ଟାଫ ସିଲେକସନ କମିଶନରେ ନିଯୁକ୍ତି ଦୁର୍ନୀତି ମାମଲାରେ ବ୍ୟକ୍ତିଗତ ସଚିବ ବିରଂଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସର ଜେରା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡିଛି । ନିଯୁକ୍ତି ପାଇଁ ଲାଂଚ ନେଉଥିବା କଥା ବିରଂଚି ସାହୁ ସ୍ୱିକାର କରିଛନ୍ତି । କିନ୍ତୁ ସେ ଏକା ଏହି ଟଙ୍କା ନେଉନଥିଲେ ବୋଲି ଭିଜିଲାନ୍ସକୁ କହିଥିବା ଜଣାପଡିଛି ।

ବିଭିନ୍ନ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜେରା ସମୟରେ ବିରଂଚି ଭିଜିଲାନ୍ସ ଅଧିକାରୀ ମାନଙ୍କୁ ପ୍ରଥମେ କିଛି ସ୍ପଷ୍ଟ ଭାବରେ କହୁନଥିଲା, କିନ୍ତୁ ପରେ ସେ ଧିରେଧିରେ କହିବା ଆରମ୍ଭ କରିଥିଲା । କେଉଁମାନେ ଏ ଲାଂଚ ଟଙ୍କାରେ ଭାଗ ନିଅନ୍ତି ସେମାନଙ୍କର ନାଁ କହିଥିବା ଜଣାପଡିଛି । କିନ୍ତୁ ଭିଜିଲାନ୍ସ ଅଧିକାରୀମାନଙ୍କୁ ଏ ନେଇ ଗଣମାଧ୍ୟମକୁ କୌଣସି ତଥ୍ୟ ଦେବାକୁ ମନା କରାଯାଇଛି । କାରଣ ବିରଂଚି ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟରେ ଯେତେ ପ୍ରକାର ଅନୈତିକ ଓ ଲାଂଚ ସମ୍ପର୍କିତ କାରବାର ହୁଏ ସେ ନେଇ ପୂରା ତଥ୍ୟ କହିଥିବା ଜଣାପଡିଛି ।

ସବୁଠାରୁ ବଡ କଥା ହେଲା ସେ ୨୫ରୁ ଅଧିକ ବର୍ଷ ଧରି ସେହି ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟରେ କାମ କରୁଛନ୍ତି । ତେଣୁ ନିଯୁକ୍ତିକୁ ନେଇ ଯେତେ ପ୍ରକାର ଦୁର୍ନୀତି ହୁଏ ସବୁଥିରେ ବିରଂଚି ଭାଗିଦାର ଥାନ୍ତି ଏବଂ ସବୁ ଲାଂଚ କାରବାରର ଏକପ୍ରକାର ମାଷ୍ଟରମାଇଣ୍ଡ ଭାବେ କାମ କରନ୍ତି ।