କୋଟିପତି ପିଏସଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଓଏସଏସସି ଅଧ୍ୟକ୍ଷ ନିର୍ମଳ ମିଶ୍ର : କହିଲେ, ସରକାରଙ୍କ ଫାଇଭ-ଟି ଅନୁଯାୟୀ ସ୍ୱଚ୍ଛତାର ସହ ହେଉଛି ପରୀକ୍ଷା

426

କନକ ବ୍ୟୁରୋ : ଓଡ଼ିଶା ଷ୍ଟାଫ ସିଲେକସନ କମିଶନଙ୍କ ସଦସ୍ୟଙ୍କ ପିଏସ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ ବଡ ପ୍ରଶ୍ନ ଉଠିଛି । ତେଣୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଓଏସଏସସି ଅଧ୍ୟକ୍ଷ ନିର୍ମଳ ମିଶ୍ର । ସରକାରଙ୍କ ଫାଇଭ-ଟି ଅନୁଯାୟୀ ସ୍ୱଚ୍ଛତାର ସହ ଷ୍ଟାଫ ସିଲେକସନ ପରୀକ୍ଷା ହେଉଥିବା ସେ ଦାବି କରିଛନ୍ତି । ଗତ ୧୫ଦିନ ଭିତରେ ୭ରୁ ୮ଟି ପରୀକ୍ଷା କରାଯାଇଛି । ନିକଟରେ ଡାଟା ଏଂଟ୍ରି ଅପରେଟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏମାନଙ୍କ ପରୀକ୍ଷା ଫଳ ବହୁ ଆଗରୁ ପ୍ରକାଶ ପାଇଥିଲା ବୋଲି କହିଛନ୍ତି ଓଏସଏସସି ଅଧ୍ୟକ୍ଷ ।

ତେବେ ପିଏସଙ୍କ ଘରୁ ଆଡମିଟ କାର୍ଡ କିପରି ମିଳିଲା, ସେ ନେଇ ପ୍ରତିକ୍ରିୟା ରଖିଛନ୍ତି । ଆଡମିଟ କାର୍ଡ ସିଧାସଳଖ ପରିକ୍ଷାର୍ଥୀଙ୍କ ପାଖକୁ ଇମେଲ କରାଯାଏ । ତେଣୁ ପିଏସଙ୍କ ପାଖରୁ ଆଡମିଟ କାର୍ଡ କିଭଳି ମିଳିଲା, ତାହା ତଦନ୍ତ ପରେ ଜଣାପଡିବ ବୋଲି ସେ କହିଛନ୍ତି । ବଦଳି ବ୍ୟବସ୍ଥା ନଥିବାରୁ ୨୬ବର୍ଷ ଧରି ପିଏସ ବିରଂଚି ନାରାୟଣ ସାହୁ ଓଏସଏସସିରେ କାମ କରୁଥିଲେ । ଅପରାଧିକ ମାମଲା ଚାଲିଥିବାରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । ତେବେ ପରୀକ୍ଷା ଦୁର୍ନୀତିରେ କୌଣସି ବଡ ଅଧିକାରୀଙ୍କ ସମ୍ପୃକ୍ତି ନଥିବା ସେ ସଫେଇ ଦେଇଛନ୍ତି ।