ଆଜିଠୁ ଜିଲ୍ଲା-ଜିଲ୍ଲା ଭିତରେ ଗଡିବ ସରକାରୀ ବସ୍: ୬୬ଟି ରୁଟରେ ୯୬ଟି ବସ ଚଳାଇବ ଓଏସଆରଟିସି; ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ଦିଆଯିବ ଗୁରୁତ୍ୱ

ସେହିପରି ଭୁବନେଶ୍ୱରରୁ ୬ଟି ସ୍ଥାନକୁ ଗଡିବ ଟ୍ରେନ

355

କନକ ବ୍ୟୁରୋ: ଆଜିଠାରୁ ରାସ୍ତାରେ ଗଡିବ ସରକାରୀ ବସ୍ । ଓଡିଶା ରାଜ୍ୟ ସଡକ ପରିବହନ ନିଗମ- ଓଏସଆରଟିସି ବସ ବିଭିନ୍ନ ଜିଲ୍ଲା ମଧ୍ୟରେ ଆଜିଠାରୁ ଚଳାଚଳ କରିବ । ୨୨ଟି ସହରର ୬୬ଟି ରୁଟରେ ମୋଟ୍ ୯୬ଟି ବସ ଚାଲିବ ବୋଲି ଜଣାପଡିଛି । ତେବେ ଯାତ୍ରୀ ପରିବହନକୁ ନେଇ ଓଏସଆରଟିସି ପକ୍ଷରୁ କୁହାଯାଇଛି ଯେ, ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ଯାଇପାରିବେ । କୌଣସି ପରିସ୍ଥିତିରେ ଯାତ୍ରୀ ଛିଡା ହୋଇ ଯିବେନାହିଁ । ସେହିପରି ବିନା ମାସ୍କରେ ଯାତ୍ରୀଙ୍କୁ ବସରେ ଉଠିବାକୁ ଅନୁମତି ମିଳିବ ନାହିଁ । ଯରୁରୀ କାମ ନଥିଲେ ବସ ଯାତ୍ରା କରିବାକୁ ମଧ୍ୟ ବାରଣ କରାଯାଇଛି । ପୂର୍ବରୁ କେବଳ ପ୍ରବାସୀ ଶ୍ରମିକ ମାନଙ୍କୁ ପରିବହନ ପାଇଁ ଓଏସଆରଟିସି ବସ ବ୍ୟବହାର ହେଉଥିଲା । ମୋଟ୍ ୪୪୦ଟି ବସରୁ ୭୦ ପ୍ରତିଶତ ବସ ଏହି କାମରେ ଲାଗିଥିଲା । ଏବେ ଶ୍ରମିକମାନଙ୍କୁ ଜିଲ୍ଲା ବାହାରେ କିମ୍ବା ରାଜ୍ୟ ବାହାରେ ଛଡାଯାଉନଥିବାରୁ ସାଧାରଣ ପରିବହନ ସ୍ୱାଭାବିକ ହେଉଛି । ବସଗୁଡିକୁ ସଂପୂର୍ଣ୍ଣ ଭାବେ ବିଶୋଧନ କରି ବିଭିନ୍ନ ରୁଟରେ ଚଳାଚଳା କରାଯିବ ।

ସେହିପରି ଆଜିଠାରୁ ରାଜ୍ୟ ଭିତରେ ଟ୍ରେନ ଚଳାଚଳ ଆରମ୍ଭ ହେଉଛି । ପ୍ରାଥମିକ ଭାବେ ଭୁବନେଶ୍ୱରରୁ ୬ଟି ଟ୍ରେନ ଚାଲିବ । ଭୁବନେଶ୍ୱରରୁ ଏଗୁଡିକ ସମ୍ବଲପୁର, ରାଉରକେଲା, ଭଦ୍ରକ, କୋରାପୁଟ, ବ୍ରହ୍ମପୁର ଓ ବଲାଙ୍ଗିର ଯିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ଷ୍ଟେସନରେ ଥିବା କାଉଁଟରରେ ଟିକେଟ ବିକ୍ରି ହେଉଥିବାବେଳେ ଆଇଆରସିଟିସିର ୱେବସାଇଟରେ ମଧ୍ୟ ଟିକେଟ ଉପଲବ୍ଧ ହେଉଛି । ତେବେ କେବଳ କନଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ରେଳଯାତ୍ରା ପାଇଁ ଅନୁମତି ମିଳିବ । ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଥମଦିନରେ ବିଶେଷ ଯାତ୍ରୀ ନାହାନ୍ତି ।

ଉଦାହରଣ ଭାବେ ସମ୍ବଲପୁର-ଖୋର୍ଦ୍ଧା ରୋଡ ପାଇଁ ୭୫୦ ଟିକେଟ୍ ଉପଲବ୍ଧ ଥିବାବେଳେ ରବିବାର ରାତି ୮ଟା ସୁଦ୍ଧା ମାତ୍ର ଅଢେଇ ଶହ ଟିକେଟ ବିକ୍ରି ହୋଇଥିଲା । ତେବେ ସୁରକ୍ଷିତ ରେଳ ଯାତ୍ରା ପାଇଁ କରୋନା ନିୟମ ଗୁଡିକୁ କଡାକଡି କରାଯାଇଛି । ବିନା ମାସ୍କରେ ଯାତ୍ରୀ ଟ୍ରେନରେ ଯାତ୍ରା କରିପାରିବେ ନାହିଁ । ଟ୍ରେନ ଛାଡିବାର ୯୦ ମିନିଟ ପୂର୍ବରୁ ଷ୍ଟେସନରେ ପହଂଚିବାକୁ ପଡିବ । ସିଟରେ ବସିବା ପୂର୍ବରୁ ସେମାନଙ୍କର ସ୍କ୍ରନିଂ କରାଯିବ । ଏହି ୬ଟି ସ୍ୱତନ୍ତ୍ର ଟ୍ରେନ ଜୁନ୍ ୮ରୁ ଜୁଲାଇ ୧ ମଧ୍ୟରେ ଚଳାଚଳ କରିବ । ୧୧ ଜିଲ୍ଲାରେ ସରକାରଙ୍କ ସଟଡାଉନ କଟକଣା ଥିବାରୁ ଶନିବାର କିମ୍ବା ରବିବାର ଟ୍ରେନ ଚାଲିବ ନାହିଁ । ତେଣୁ ୫ଟି ଟ୍ରେନ ସପ୍ତାହକୁ ୫ଦିନ ଚାଲିବ ଓ ଭୁବନେଶ୍ୱର-କୋରାପୁଟ ଟ୍ରେନ ସପ୍ତାହରେ ୩ ଦିନ ଚାଲିବ ବୋଲି ଜଣାପଡିଛି ।