ଦେଶରେ କରୋନା ମୃତ୍ୟୁର ସତ-ମିଛ! ଏମ୍ସ ନିର୍ଦ୍ଦେଶକ କହିଲେ, ହସ୍ପିଟାଲ ଓ ରାଜ୍ୟମାନେ ମୃତ୍ୟୁସଂଖ୍ୟାର କରନ୍ତୁ ଅଡିଟ୍ ।

245

କନକ ବ୍ୟୁରୋ : ଦେଶରେ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ‌ବିଭିନ୍ନ ରାଜ୍ୟ ପ୍ରକୃତ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ବୋଲି ଅଭିଯୋଗ ହେଉଛି। ଯାହାକି ବିହାର ଏବଂ ମହାରାଷ୍ଟ୍ର କ୍ଷେତ୍ରରେ ଧରାପଡ଼ିଛି। ରାଜ୍ୟମାନଙ୍କ ଏଭଳି ଉଦ୍ୟମ ଯୋଗୁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରୁନାହିଁ ବୋଲି ବିଭିନ୍ନ ମହଲର ଅଭିଯୋଗ ହେଉଛି। ଏହା ଫଳରେ କରୋନା ସଂକ୍ରମଣର ଠିକ୍ ଆକଳନ କରାଯାଇ ପାରୁନାହିଁ। କୋଭିଡ୍‌ ମୃତ୍ୟୁ ରିପୋର୍ଟ ବାବଦରେ ପାରଦର୍ଶିତା ରକ୍ଷା ପାଇଁ ହସ୍ପିଟାଲ ଏବଂ ରାଜ୍ୟମାନେ ରଣନୀତି ପ୍ରସ୍ତୁତ କରିବା ସହ ଅଡିଟ୍‌ କରାଇବାକୁ ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ପରାମର୍ଶ ଦେଇଛନ୍ତି।

ଗୋଟିଏ ପରେ ଗୋଟିଏ ରାଜ୍ୟ ଏବେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦୁଇଦିନ ତଳେ ବିହାର ଏବଂ ଗତକାଲି ମହାରାଷ୍ଟ୍ର ସରକାର କୋଭିଡ୍‌ ମୃତ୍ୟୁରେ ସଂଶୋଧନ ଆଣି ନୂଆ ତଥ୍ୟ ପ୍ରଦାନ କରିବା ପରେ ଏବେ ଅନ୍ୟ ରାଜ୍ୟମାନେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ସଂଶୋଧନ ଆଣିବାକୁ ପ୍ରୟାସ ଆରମ୍ଭ କରିବାକୁ ଦାବି ଜୋର୍‌ ଧରିଛି। ବିହାର ଏବଂ ମହାରାଷ୍ଟ୍ର ସରକାରଙ୍କ ସଂଶୋଧିତ ରିପୋର୍ଟ ଆସିବା ପରେ ଦେଶର କୋଭିଡ ମୃତ୍ୟୁ ସଂଖ୍ୟାରେ ପ୍ରାୟ ୨୦ ହଜାର ବୃଦ୍ଧି ଘଟିଛି। ସଠିକ୍ ତଥ୍ୟ ଲାଗି ଏବେ ଗୁଜରାଟ ଏବଂ ମଧ୍ୟ ପ୍ରଦେଶ ସମେତ ଅନ୍ୟ ରାଜ୍ୟମାନଙ୍କ ଉପରେ ମଧ୍ୟ ଚାପ ବଢ଼ୁଛି।

ମଧ୍ୟପ୍ରଦେଶରେ ୨୦୧୮ ଏବଂ ୨୦୧୯ରେ ଏପ୍ରିଲ୍‌-ମେ ମାସରେ ସିଭିଲ୍‌ ରେଜିଷ୍ଟ୍ରେସନ ବ୍ୟବସ୍ଥାରେ ୫୯ ହଜାର ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ଏବେ କରୋନାର ଦ୍ବିତୀୟ ଲହର ସମୟରେ ଏପ୍ରିଲ୍‌-ମେ ମାସରେ ୨ ଲକ୍ଷ ୩୦ ହଜାର ମୃତ୍ୟୁ ରିପୋର୍ଟ କରାଯାଇଛି। ୧.୭୪ ଲକ୍ଷ ଅଧିକ ମୃତ୍ୟୁର ବିଭିନ୍ନ କାରଣ ରହିଥିଲେ ମଧ୍ୟ ସରକାର ଏହି ସମୟ ମଧ୍ୟରେ ମାତ୍ର ୪୧୦୦ ଲୋକ କୋଭିଡ୍‌ରେ ପ୍ରାଣ ହରାଇଥିବା ଦର୍ଶାଇଛନ୍ତି। ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ଯେଉଁ ତଥ୍ୟ ଦର୍ଶାଇଛନ୍ତି ବାସ୍ତବରେ କୋଭିଡ୍‌ ମୃତ୍ୟୁ ତାହାର ୩ ଗୁଣ ହେବ ବୋଲି କୁହାଯାଉଛି।

ତେବେ ମଧ୍ୟପ୍ରଦେଶ ସରକାର ଏ ବାବଦରେ କୌଣସି ଆନୁଷ୍ଠାନିକ ବୟାନ ଜାରି କରିନାହାନ୍ତି। ବିହାର ସରକାର ଅଚାନକ କୋଭିଡ୍‌ ମୃତ୍ୟୁରେ ୭୨ ପ୍ରତିଶତ ବୃଦ୍ଧି କରିବା ସହ ଏବେ ପଂଜୀକରଣ ପାଇଁ କେତେକ ନୂଆ ବ୍ୟବସ୍ଥା କରିଛନ୍ତି। ଏବେ ଏମ୍ସ୍‌ ନିର୍ଦ୍ଦେଶକ ଡା. ଗୁଲେରିଆ କୋଭିଡ୍‌ ମୃତ୍ୟୁ ରିପୋର୍ଟକୁ ନେଇ ଅଡିଟ୍‌ କରିବାକୁ ଦେଇଥିବା ପରାମର୍ଶକୁ ଯଦି ରାଜ୍ୟମାନେ ଗ୍ରହଣ କରିବେ ତା’ହେଲେ ଦେଶରେ ଦେଶର କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ବାସ୍ତବ ଚିତ୍ର ସାମ୍ନାକୁ ଆସିବ ବୋଲି କୁହାଯାଉଛି।