ହମାସର ଲିଡର ମାନଙ୍କୁ ଖୋଜି ଖୋଜି ହତ୍ୟା କରୁଛି ଇସ୍ରାଏଲ

ଏ ପର୍ଯ୍ୟନ୍ତ ଗଡ଼ିଲାଣି ୫ ହମାସ ଲିଡରଙ୍କ ମୁଣ୍ଡ

131

ଅକ୍ଟୋବର ୭ ରେ ହମାସ ଆକ୍ରମଣରେ ଇସ୍ରାଏଲର ୧୪୦୦ ରୁ ଉର୍ଦ୍ଧ ଲୋକଙ୍କର ମୃତ୍ଯୁ ଘଟିଛି । ହମାସ ଅତ୍ୟନ୍ତ ବର୍ବରତାର ସହ ଇସ୍ରାଏଲି ନାଗରିକ ମାନଙ୍କୁ ହତ୍ୟା କରିଥିଲା । ଏହାର ପ୍ରତିଶୋଧ ନେବାପାଇଁ ଇସ୍ରାଏଲ ହମାସ ଶାସିତ ଗାଜା ସହରରେ ଥିବା ହମାସର ଆଡ୍ଡା ଉପରେ ଲଗାତର ବୋମାବର୍ଷଣ କରିଚାଲିଛି ଏବଂ ହମାସର ନେତାମାନଙ୍କୁ ଖୋଜି ଖୋଜି ହତ୍ୟା କରୁଛି ।

କେଉଁ କେଉଁ ହମାସ୍ ଆତଙ୍କବାଦୀ ନିହତ ହୋଇଛନ୍ତି

ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ୍ ସେନା ହମାସର ପାଞ୍ଚଟି ବଡ ଆତଙ୍କବାଦୀଙ୍କୁ ହତ୍ୟା କରିସାରିଲାଣି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଗାଜାରୁ ସମସ୍ତ ହାମାସ୍ ଆତଙ୍କବାଦୀଙ୍କୁ ମୂଳପୋଛ ନକରିବା ପର୍ଯ୍ୟନ୍ତ ଇସ୍ରାଏଲ୍ ବିଶ୍ରାମ ନେବ ନାହିଁ । ଗାଜା ଦଖଲ କରିବାର ଇସ୍ରାଏଲର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଏ ପର୍ଯ୍ୟନ୍ତ ଇସ୍ରାଏଲି ସେନା ଦ୍ବାରା ହତ୍ୟା କରାଯାଇଥିବା ହମାସ ଆତଙ୍କବାଦୀ ମାନଙ୍କ ନାମ  ଏବଂ ସେମାନେ କେତେ ବିପଜ୍ଜନକ ତାହା ଉପରେ ନଜର ପକାନ୍ତୁ।

୧- ଓସାମା ମାଜିନି

ଏୟାର ଷ୍ଟ୍ରାଇକରେ ଇସ୍ରାଏଲ ବାୟୁସେନା (ଆଇଏଏଫ) ଆଉ ଜଣେ ହାମାସ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ମଙ୍ଗଳବାର ଦିନ ଇସ୍ରାଏଲ୍ ବାୟୁସେନା ଓସାମା ମାଜିନିଙ୍କୁ ହତ୍ୟା କରିଥିବାର ଦାବି କରିଛି । ଓସାମା ଗାଜା ଅଞ୍ଚଳରେ ଥିବା ହାମାସ ଆତଙ୍କବାଦୀ ସଂଗଠନର ସୁରା କାଉନସିଲର ମୁଖ୍ୟ ଥିଲା । ବାୟୁସେନା ସୂତ୍ର ଅନୁଯାୟୀ, ମାଜିନି ଇସ୍ରାଏଲ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିର୍ଦ୍ଦେଶ ଦେଇଥାଏ । ୨୦୧୧  ମସିହାରେ କଏଦୀ ବିନିମୟକୁ ନେଇ ହୋଇଥିବା ଆଲୋଚନାକୁ ମଧ୍ୟ ସେ ଲିଡ୍ କରୁଥିଲା । ଏହି କଏଦୀ ବିନିମୟରେ ଇସ୍ରାଏଲ ଆଇଡିଏଫ୍ ସୈନିକ ଗିଲାଦ ଶାଲିତଙ୍କ ବଦଳରେ ବହୁସଂଖ୍ୟାରେ ପଲେଷ୍ଟାଇନିୟ ଅପରାଧୀଙ୍କୁ ଇସ୍ରାଏଲ ମୁକ୍ତ କରିବାକୁ ବାଧ୍ୟ ହେଇଥିଲା । ଗିଲାଦ ଶାଲିତଙ୍କୁ ହମାସ ଆତଙ୍କବାଦୀ ମାନେ ଅପହରଣ କରି ବନ୍ଧକ ରଖିଥିଲେ । ଦୀର୍ଘ ପାଞ୍ଚବର୍ଷ ପରେ ସେମାନଙ୍କର ଦାବି ପୁରଣ ହେଲାପରେ ତାଙ୍କୁ ମୁକ୍ତ କରିଥିଲେ ।

୨ – ଆୟମାନ ୟୁନିସ୍

ହମାସ ଆକ୍ରମଣର ମାତ୍ର ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ୍ ସୈନ୍ୟବାହିନୀ ଏୟାର ଷ୍ଟ୍ରାଇକରେ ହାମାସର ଆଉ ଜଣେ ନେତା ଆୟମାନ ୟୁନିସ୍ କୁ  ହତ୍ୟା କରିଥିଲେ । ଗାଜା ଅଞ୍ଚଳର ନୁସିରତ ଶରଣାର୍ଥୀ ଶିବିରରେ ଥିବା ତା ଘରର ଧ୍ୱଂସାବଶେଷରୁ ତାର ଶବ ମିଳିଥିଲା। ଡିଏନ୍ଏ ମାଧ୍ୟମରେ ମୃତଦେହ ଚିହ୍ନଟ କରାଯାଇଥିଲା ।

 

୩ – ମୁରାଦ୍ ଆବୁ ମୁରାଦ

ନିକଟରେ ଗାଜା ଷ୍ଟ୍ରିପରେ ରାତି ସାରା ହୋଇଥିବା ଆକ୍ରମଣରେ ଆଇଡିଏଫ୍ ହାମାସ ବାୟୁସେନା ମୁଖ୍ୟ ମୁରାଦ ଆବୁ ମୁରାଦଙ୍କୁ ମଧ୍ୟ ହତ୍ୟା କରିଛି । ଏହି ଆକ୍ରମଣରେ ଆଇଡିଏଫ୍, ହମାସ ବାୟୁସେନା ମୁଖ୍ୟାଳୟକୁ ଟାର୍ଗେଟ କରିଥିଲା । ଦକ୍ଷିଣ ଇସ୍ରାଏଲର ଗାଜା ନିକଟରେ ଅବସ୍ଥିତ ଏକ ଗାଁରେ ପାରାଗ୍ଲାଇଡିଂ ମାଧ୍ୟମରେ ଆତଙ୍କବାଦୀଙ୍କୁ ଅବତରଣ କରିବା ମୁରାଦର ହିଁ ଆଇଡିଆ ଥିଲା। ତାକୁ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଭାବରେ ବିବେଚନା କରାଯାଏ ।

୪ – ବିଲାଲ ଅଲ କାଦର

ଆଇଡିଏଫ୍ ରବିବାର ସକାଳେ ରିପୋର୍ଟ କରିଛି ଯେ ବଡ଼ ଧରଣର ଅନୁପ୍ରବେଶ ଏବଂ ହତ୍ୟାକାଣ୍ଡ ପାଇଁ ଦାୟୀ ନୁଖବା ସ୍ପେଶାଲ୍ ଫୋର୍ସର କମାଣ୍ଡର ବିଲାଲ ଅଲ-କାଦରକୁ ଇସ୍ରାଏଲର ଏୟାର ଷ୍ଟ୍ରାଇକ ଦ୍ଵାରା  ସଫଳତାର ସହ ଟାର୍ଗେଟ କରି ହତ୍ୟା କରାଯାଇଛି । ହମାସ ନୁଖବା ବାହିନୀର ସ୍ପେଶାଲ୍ ଫୋର୍ସ କମାଣ୍ଡର କାଦରଙ୍କୁ ଟାର୍ଗେଟ କରାଯାଇଥିଲା । ହମାସର ତିନିଜଣ ଆତଙ୍କବାଦୀ ବିଲାଲ, ନିରିମ ଏବଂ ନିର, ଇସ୍ରାଏଲର ଓଜରେ ହୋଇଥିବା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲେ ।

୫- ଅଲି କାଦୀ

କାଦରର ହତ୍ୟା ସହିତ ଅନ୍ୟ ଜଣେ କମାଣ୍ଡର ଅଲି କାଦିଙ୍କୁ ମଧ୍ୟ ଟାର୍ଗେଟ କରି ଇସ୍ରାଏଲ ସେନା ହତ୍ୟା କରାଛି । କାଦୀ ଇସ୍ରାଏଲରେ ହୋଇଥିବା ଅନୁପ୍ରବେଶର ନେତୃତ୍ୱ ନେଇଥିଲା । ୨୦୦୫ ରେ ଇସ୍ରାଏଲରେ  ଅପହରଣ ଓ ହତ୍ୟା ମାମଲାରେ  କାଦୀକୁ ଗିରଫ କରାଯାଇଥିଲା। ଏହା ପରେ ତାକୁ ଗିଲାଦ ଶାଲିତ କଏଦୀ ବିନିମୟ ଚୁକ୍ତିରେ ମୁକ୍ତ କରାଯାଇଥିଲା ।