ଆରପାରିକୁ ଚାଲିଗଲେ ବାପା, ମା’, ବଡ଼ଭାଇ । ବେସାହାରା ହୋଇଗଲେ ଦୁଇ ଭାଇଭଉଣୀ, ଖେଳକୂଦ ବୟସରେ ଜୀବନ ଜିଇଁବାକୁ କରୁଛନ୍ତି ସଂଘର୍ଷ ।

167

କନକ ବ୍ୟୁରୋ : ପ୍ରଥମେ ବାପା, ତାପରେ ବଡ଼ଭାଇ ଓ ଶେଷରେ ଆରପାରିକୁ ଚାଲିଗଲେ ମାଆ । ପରେ ବେସାହାରା ହୋଇ ଗଲେ ଦୁଇ ଭାଇଭଉଣୀ । ସୁରେଶ କଂସାରୀ ଓ ପ୍ରିୟଙ୍କା କଂସାରୀ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ କଂସାରୀ ସାହିରେ ରହୁଥିବା ଏହି ଦୁଇ ଅନାଥ ଭାଇଭଉଣୀଙ୍କ କଷ୍ଟର କାହାଣୀ ଜାଣିଲେ, ଆପଣଙ୍କ ଆଖି ବି ଓଦା ହୋଇଯିବ ।

ସୁରେଶ ଓ ପ୍ରିୟଙ୍କାଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି ବାପା-ମାଆ ଓ ବଡ ଭାଇ । ମୁଣ୍ଡ ଉପରୁ ମୁରବୀଙ୍କ ହାତ ହଟିଯିବା ପରେ ଏବେ ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ବଞ୍ଚିଛନ୍ତି । ଖେଳକୁଦ ବୟସରେ ପେଟ ପାଇଁ ସଂଘର୍ଷ କରୁଛନ୍ତି ଏମାନେ । ସରକାରୀ ସ୍ତରରେ ମାସକୁ ୧୦ କେଜି ଚାଉଳ ମିଳୁଥିବା ବେଳେ ସେଥିରେ ମାସେ ଚଳି ହେଉନାହିଁ । ତେଣୁ କୁଲି କାମ କରିବାକୁ ପଡୁଛି ।

ଆଗପଛ ହୋଇ ବାପା, ଭାଇ ଓ ମାଆଙ୍କ ମୃତ୍ୟୁ ପରେ ପରିବାର ସମ୍ଭାଳୁଛି କୁନି ପୁଅ ସୁରେଶ । କୁଲି କାମ କରି ଦୁଇ ଓଳି ଦାନା ଯୋଗାଡ କରୁଥିବା ସୁରେଶ ସାନ ଭଉଣୀ ପ୍ରିୟଙ୍କାର ପାଠପଢ଼ାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି । ଭଙ୍ଗା ଦଦରା ଘରର ଫଟା ଆଜବେଷ୍ଟ ତଳେ ରହୁଥିବା ଏହି ଦୁଇ ଭାଇ ଭଉଣୀଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି ହୋଇଛି । ଅନାଥ ଭାଇ ଭଉଣୀଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ କେବେ ଥଇଥାନ କରୁଛି, ତାକୁ ହିଁ ଅପେକ୍ଷା ।