ଆଗପଛ ହୋଇ ଚାଲିଗଲେ ବାପାମାଆ । ମୁଣ୍ଡ ଉପରୁ ମୁରବୀଙ୍କ ହାତ ହଟିଯିବା ପରେ ଏବେ ଅସହାୟ ଭାଇଭଉଣୀ । କୁନି ଭଉଣୀକୁ ପାଠ ପଢାଇବାକୁ ମୂଲ ଲାଗୁଛି ସାନ ଭାଇ ।

176

କନକ ବ୍ୟୁରୋ: ନା ବାପା ଅଛନ୍ତି, ନା ମାଆ, ନା ବଡ ଭାଇ… ମୁଣ୍ଡ ଉପରୁ ମୁରବୀଙ୍କ ହାତ ହଟିଯିବା ପରେ ଜୀବନ କେତେ ଯେ କଷ୍ଟ ବୋଧହୁଏ ତାହା ଏ ଅସହାୟ ଭାଇଭଉଣୀଙ୍କ ଛଡା ଆଉ କେହି କହି ପାରିବେନ ନାହିଁ । ପ୍ରଥମେ ବାପା, ପରେ ପରେ ବଡ଼ଭାଇ ଆଉ ଶେଷରେ ଆରପାରିକୁ ଚାଲିଗଲା ମାଆ । ଘରର ତିନି ତିନି ଜଣ ପରପାରିକୁ ଚାଲି ଯିବାପରେ ବେସାହାରା ଦୁଇ ଭାଇଭଉଣୀ ସୁରେଶ ଓ ପ୍ରିୟଙ୍କା ।

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ କଂସାରୀ ସାହିରେ ରହୁଥିବା ଦୁଇ ଅନାଥ ଭାଇଭଉଣୀ ଏକା ହୋଇଯିବା ପରେ ଏବେ ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ବଂଚିଛନ୍ତି । ପାଠପଢା ବୟସରେ ଭାଇ ମୂଲ ଲାଗୁଛି । ଖେଳକୁଦ ବୟସରେ ପେଟ ପାଇଁ ସଂଘଷ ର୍କରୁଛି । ସିଏ ନପଢିଲା ନାହିଁ ତା ଭଉଣୀକୁ ଶିକ୍ଷିତ କରିବାକୁ ପରଘରେ ମଜୁରୀ ଖଟୁଛି ଭାଇ ।

ଆଗପଛ ହୋଇ ବାପା, ଭାଇ ଓ ମାଆଙ୍କ ଆଖିବୁଜିବା ପରେ ଏବେ ପରିବାରର ବୋଝ ସମ୍ଭାଳୁଛି କୁନି ପୁଅ ସୁରେଶ । ନିଜ କଅଁଳ କାନ୍ଧରେ ବସ୍ତାନୀ କାନେ୍ଧଇ ଯେତେବେଳେ ସ୍କୁଲ ଯିବା କଥା, ପାଠ ପଢିବା କଥା ଆଜି ଅନାଥ ହେବା ପରେ କୁଲି କାମ କରି ଦୁଇ ଓଳି ଦାନା ଯୋଗାଡ କରୁଛି ସୁରେଶ । ଖଟିଲେ ଦୁଇ ପେଟକୁ ଦାନା ଯାଏ, ଆଉ ସେଥିରୁ ଯାହା ରହେ ସାନ ଭଉଣୀ ପ୍ରିୟଙ୍କାର ପାଠପଢ଼ାରେ ଖର୍ଚ୍ଚ ହେବାକୁ ନିଅଣ୍ଟ ପଡେ । ଭଉଣୀର ପଢା ପାଇଁ ପାଖରେ ଟଙ୍କା ନଥିବାରୁ ଚିନ୍ତାରେ ପଡ଼ିଯାଇଛି ଭାଇ ।

ସେପଟେ ଏ ଦୁଃଖ ଦୁର୍ଦ୍ଦଶା ଭିତରେ ଭଙ୍ଗା ଦଦରା ଘର ଭାରି ଦୁଃଖ ଦେଉଛି । ଫଟା ଆଜବେଷ୍ଟ ତଳେ ଜୀବନ ବିତୁଥିବାରୁ ଖରା ବର୍ଷା ଦାଉରୁ ବଞ୍ଚିବା ମୁସ୍କିଲ ହୋଇପଡୁଛି । ସରକାରୀ ସ୍ତରରେ ମାସକୁ ୧୦ କେଜି ଚାଉଳ ମିଳୁଥିବା ବେଳେ ସେଥିରେ ମାସେ ଚଳି ହେଉନାହିଁ । କଷ୍ଟେ ମଷ୍ଟେ ସିନା ପେଟ ପୂରିଯାଉଛି ହେଲେ ଘର ନଥିବାରୁ ରହିବା କଷ୍ଟ । ତେଣୁ ଦୁଇ ଭାଇ ଭଉଣୀଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି ହୋଇଛି । ସତରେ ବାପାମାଆ ଗଲା ପରେ ଜୀବନ ଜିଇଁବା ମୁସ୍କିଲ ହୋଇପଡେ । ତେଣୁ ଅନାଥ ଭାଇ ଭଉଣୀଙ୍କୁ ପ୍ରଶାସନ ଶୀଘ୍ର ଥଇଥାନ କରିବାର ଆବଶ୍ୟକତା ରହିଛି ।