ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି ଓଡ଼ିଆ ଯୁବକ : ୩ମାସ ପାଇଁ ତାଲିମ ନେବାକୁ ଯାଇଥିଲେ, ହେଲେ ଦେଢ଼ ବର୍ଷ ହେଲା ଘରକୁ ଫେରି ପାରୁନାହାନ୍ତି

227

କନକ ବ୍ୟୁରୋ : ସୁଦୂର ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି ଓଡିଆ ଯୁବକ । ମାତ୍ର ତିନି ମାସ ପାଇଁ ତାଲିମ ନେବାକୁ ଆଫ୍ରିକା ଯାଇଥିଲେ ହେଲେ ଦେଢ ବର୍ଷ ହେଲା ଫେରି ପାରୁନାହାନ୍ତି । ଢେଙ୍କାନାଳ ଜିଲ୍ଲା ବେଲଟିଗିରିର ସବ୍ୟସାଚୀ ନନ୍ଦ ୨୦୧୯ରୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଫସି ରହିଛନ୍ତି । ସେପଟେ ସେ ଏମିତି ଘଟଣାଚକ୍ରରେ ଛନ୍ଦି ହୋଇପଡିଛନ୍ତି, ଯେ ଦକ୍ଷିଣ ଆଫ୍ରିକାରୁ ଫେରିବା ସମ୍ଭବ ହୋଇପାରୁ ନାହିଁ । ଏପଟେ ଗାଁରେ ମାଆ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଆଖି ବୁଜିଛି । ମାଆର ଶୁଦ୍ଧିକ୍ରିୟାରେ ପୁଅ ଆସିବା ନିହାତି ଆବଶ୍ୟକ ହୋଇଥିବାରୁ ସବ୍ୟସାଚୀଙ୍କୁ ଉଦ୍ଧାର ପାଇଁ ପରିବାରର ଲୋକେ ସରକାରଙ୍କୁ ନିବେଦନ କରିଛନ୍ତି ।

ସୂଚନା ଅନୁସାରେ ଡିସେମ୍ବର ୨୦୧୯ରେ ଫାର୍ମା କଲଚର ଉପରେ ତାଲିମ ନେବାକୁ ଦକ୍ଷିଣ ଆଫ୍ରିକା ଯାଇଥିଲେ ସବ୍ୟସାଚୀ ନନ୍ଦ । ଏପ୍ରିଲ ୨୦୨୦ରେ ଫେରିଥାନ୍ତେ , କିନ୍ତୁ କରୋନା ଯୋଗୁଁ ଭାରତ ସରକାର ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାଇଲେ । ଏହାରି ଭିତରେ ତାଙ୍କ ଭିସା ବାତିଲ ହୋଇଯିବାରୁ ସେ ଜୋହାନ୍ସ ବର୍ଗରେ ସେ ଫସି ଯାଇଥିଲେ । ୨୦୨୧ ଫେବୃୟାରୀରେ ସବ୍ୟସାଚୀ ରହୁଥିବା ଫାର୍ମହାଉସ ମାଲିକର ପୁଅକୁ କିଛି ଦୁର୍ବୃତ୍ତ ଘରେ ପଶି ଗୁଳିକରି ହତ୍ୟା କରିଥିଲେ ।

ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ହୋଇଥିବାରୁ ପୁଲିସ ସବ୍ୟସାଚୀଙ୍କ ପାସପୋର୍ଟ ଜବତ କରି ଅଟକ ରଖିଛି । ପରିବାର ଲୋକେ ଏହି ଘଟଣା ସଂପର୍କରେ ଡେରିରେ ଜାଣିବା ପରେ ସବ୍ୟସାଚୀ ରହୁଥିବା ଘର ମାଲିକ ଓ ସେଠାକାର ପୁଲିସ ସହ ଯୋଗାଯୋଗ କରିଥିଲେ । କିନ୍ତୁ ତଦନ୍ତ ନସରିବା ଯାଏଁ ସବ୍ୟସାଚୀଙ୍କୁ ଛଡାଯିବ ନାହିଁ ବୋଲି ଆଫ୍ରିକା ପୁଲିସ କହିଥିବା ସୂଚନା ମିଳିଛି । ତେଣୁ ତୁରନ୍ତ ପୁଅକୁ ଦକ୍ଷିଣ ଆଫ୍ରିକାରୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ପରିବାର ଲୋକେ ।