କଳ୍ପନା ସୋରେନଙ୍କୁ ନେଇ ବଢିଲା କଳ୍ପନାଜଳ୍ପନା । ଓଡିଆ ଝିଅ ହୋଇପାରନ୍ତି ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

3,484

କନକ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ବାରମ୍ବାର ସମନ, ପଚରାଉଚୁରା ପାଇଁ ଡାକରା ଓ ନାଟକୀୟ ଭାବେ ଅର୍ନ୍ତଧ୍ୟାନ ପରେ ପୁଣି ଫେରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ବିଶେଷକରି ୪୦ ଘଣ୍ଟାର ଲୁଚକାଳି ପରେ ରାଞ୍ଚି ସ୍ଥିତ ନିଜ ବାସଭବନରେ ସବୁ ବିଧାୟକ ଏବଂ ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରିବା ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ଆଉ ବୈଠକରେ ପତ୍ନୀ କଳ୍ପନା ଯୋଗ ଦେବା ରାଜନୀତି ମହଲରେ ତାଙ୍କୁ ନେଇ କଳ୍ପନା ଜଳ୍ପନାକୁ ବଢ଼ାଇ ଦେଇଛି । କୁହାଯାଉଛି, ବିହାରର ଲାଲୁ- ରାବଡି ଦେବୀ ଫର୍ମୁଲାରେ, ସ୍ଥାନରେ ପତ୍ନୀ କଳ୍ପନା ସୋରେନଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରୁଛନ୍ତି ହେମନ୍ତ ସୋରେନ ।

ତେବେ ଜମି ଦୁନୀର୍ତି ମାମଲାରେ ହେମନ୍ତଙ୍କୁ ୧୦ଥର ସମନ ଜାରି କଲାଣି ଇଡି । ଏବଂ ସୋମବାର ପଚରାଉଚୁରା ପାଇଁ ହାଜର ହେବାକୁ କୁହାଯାଇଥିଲା । ହେଲେ, ତାଙ୍କର ପତ୍ତା ମିଳିନଥିଲା ବୋଲି ଇଡି ପକ୍ଷରୁ କୁହାଯାଇଥିଲା । କିନ୍ତୁ ୪୦ ଘଣ୍ଟା ପରେ ଫେରି ଆକ୍ସନ ମୁଡକୁ ଆସିଛନ୍ତି ହେମନ୍ତ ।

ଜାଣିରଖିବା ଉଚିତ୍ ଯେ, ଓଡ଼ିଶା ମୟୂରଭଞ୍ଜର ଝିଅ କଳ୍ପନା ସୋରେନ୍ । ୨୦୦୬ ଫେବ୍ରୁଆରୀ ୭ରେ ହେମନ୍ତ ସୋରେନଙ୍କ ବିବାହ କରିଥିଲେ । ସେ ଏକ ଘରୋଇ ସ୍କୁଲର ପରିଚାଳନା କରୁଛନ୍ତି । ତାଙ୍କ ବାପା-ମାଆ ରାଜନୈତିକ ପରିବାରର ନୁହନ୍ତି । ହେଲେ ହେମନ୍ତ ସୋରେନଙ୍କୁ ବିବାହ କରିବା ପରଠାରୁ ୧୮ ବର୍ଷ ହେବ ସେ ରାଜନୀତିକୁ ଅତି ନିକଟରୁ ଦେଖୁଛନ୍ତି । ସ୍ୱାମୀ ହେମନ୍ତ ସୋରେନଙ୍କ ରାଜନୀତିରେ ଲମ୍ବା ଅନୁଭବ ରହିଛି । ଶ୍ୱଶୁର ଶିବୁ ସୋରେନ୍ ମଧ୍ୟ ରାଜନୀତିରେ ବେଶ୍ ଅଭିଜ୍ଞ ଓ ଧୁରୀଣ ଖେଳାଳି । ଏସବୁ ଦିଗ କଳ୍ପନାଙ୍କ ସପକ୍ଷରେ ଯାଉଛି ।

କଳ୍ପନା ମୁଖ୍ୟମନ୍ତ୍ରୀ ପଦରେ ରହିଲେ ମଧ୍ୟ ପ୍ରଚ୍ଛଦ ପଟରେ ରହି ହେମନ୍ତ ସୋରେନ୍ ହିଁ ଶାସନ ପରିଚାଳନା କରିବେ, ଏଥିରେ ସନ୍ଦେହ ନାହିଁ । ତେବେ ଏନେଇ ଦଳ ପକ୍ଷରୁ ସିଧାସଳଖ କିଛି କୁହାଯାଇନଥିଲେ ବି ଇଡି ଜାଣିଶୁଣି ଏଭଳି ହଇରାଣ କରୁଥିବା ଅଭିଯୋଗ କରିଛି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା । ଏବଂ ଖୁବଶୀଘ୍ର ବିଜେପି ବିରୋଧରେ ମାନହାନି ମୋକଦମା କରିବାକୁ ଚେତାବନୀ ଦେଇଛି ଜେଏମଏମ ।

ସୋମବାର ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନକୁ ଯାଇଥିଲେ ଇଡି ଅଧିକାରୀ । ହେଲେ ତାଙ୍କୁ ନପାଇ ନିରାଶ ହୋଇ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଏମଡବ୍ଲୁ କାରକୁ ଜବତ କରି ସାଙ୍ଗରେ ନେଇଥିଲେ । ଏଥିସହ ନଗଦ ୩୬ ଲକ୍ଷ ଟଙ୍କା ଜବତ କରିଛି ଇଡି । ଏହାପରେ ଇଡିର ଆଉ ଏକ ଟିମ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ମଧ୍ୟ ତାଙ୍କୁ ପାଇନଥିଲେ ବୋଲି କୁହାଯାଇଥିଲା । ତେବେ ସୋରେନ୍ ବଜେଟ ପାଇଁ ବ୍ୟସ୍ତ ଥିଲେ ଓ ବୁଧବାର ହାଜର ହେବେ ବୋଲି କୁହାଯାଇଛି ।

ଇଡି ଚଢାଉକୁ ନେଇ ଉତ୍ତେଜନା ବଢୁଥିବାରୁ ଝାଡଖଣ୍ଡ ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନ, ଇଡି କାର୍ଯ୍ୟାଳୟ ଓ ରାଜଭବନର ୧୦୦ମିଟର ପରିଧି ଭିତରେ ୧୪୪ ଧାରା ଜାରି କରାଯାଇଛି ।