୨୦ ବର୍ଷ ପରେ ଘରକୁ ଫେରୁଛି ଓଡିଆ ପୁଅ : ପାକିସ୍ତାନ ଜେଲରୁ ମୁକ୍ତି ପାଇ ଅମୃତସରରେ ପହଁଚିଛି ସୁନ୍ଦରଗଡ କୁତ୍ରାର ବିରଜୁ

ଗାଁକୁ ଫେରାଇ ଆଣିବାକୁ ଅମୃତସର ଗଲା ପ୍ରଶାସନର ଟିମ୍

167

କନକ ବ୍ୟୁରୋ : ପାକିସ୍ତାନ ଲାହୋର ଜେଲରେ ୨୦ ବର୍ଷ ରହିବା ପରେ ଗାଁକୁ ଫେରୁଛି ଓଡିଆ ପୁଅ । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ସୁନ୍ଦରଗଡ କୁତ୍ରାବ୍ଲକର କଟଙ୍ଗ ନଙ୍ଗାଟୋଲି ଗାଁରେ । ଏହି ଗାଁର ବିରଜୁ ମାନସିକ ଅନଗ୍ରସର ହେତୁ ପାକିସ୍ତାନ ଚାଲିଯାଇଥିଲେ ।  ଆଉ ଦୀର୍ଘ ୨୦ ବର୍ଷ ଧରି ଲାହୋର ଜେଲରେ ରହିବା ପରେ  ଏବେ ମୁକୁଳିଛନ୍ତି । ଆଉ ଏବେ ଫେରୁଛନ୍ତି ଘରକୁ । ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବାପା ମା ଆରପାରିକୁ ଚାଲିଯାଇଛନ୍ତି ।

ଖବର ଅନୁସାରେ, ନଙ୍ଗାଟୋଲି ଗାଁର ବିରଜୁ ପିଲାଟି ଦିନରୁ  ମାନସିକ ଅନଗ୍ରସର ଥିଲେ ।  ତାଙ୍କୁ ୨୪-୨୫ ବର୍ଷ ହୋଇଥିବାବେଳେ  ସେ ଘରୁ କୁଆଡେ ଚାଲିଯାଇଥିଲେ । ପରିବାର ଲୋକେ ଅନେକ ଖୋଜଖବର ପରେ ବି କୌଣସି ସନ୍ଧାନ ପାଇନଥିଲେ । ହେଲେ ଗତବର୍ଷ ପରିଚୟ ଓ ତାଙ୍କ ଠିକଣା ଯାଂଚ ପାଇଁ କୁତ୍ରା ପୁଲିସ ବିରଜୁଙ୍କ ଘରେ ପଂହଚିଥିଲା । ଭୁଲରେ ସେ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବାରୁ  ଲାହୋର ଜେଲରେ  ୨୦ ବର୍ଷ ବନ୍ଦୀ ଜୀବନ ବିତାଇଥିଲେ ।  ତେବେ ଗତମାସ ୨୬ ତାରିଖରେ ଜେଲରୁ ମୁକୁଳିବା ପରେ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଛି ।

ଏବେ ସେ ପଞ୍ଜାବ ଅମୃତସରର ଏକ କୋଭିଡ ହସପିଟାଲରେ ଭର୍ତି ହୋଇଛନ୍ତି । ବିରଜୁଙ୍କ ଫେରିବା ବାଟକୁ ପରିବାର ଲୋକ ଅପେକ୍ଷା କରିଥିବାବେଳେ  ପ୍ରଶାସନ ମଧ୍ୟ ଫେରିବା ପାଇଁ ସମସ୍ତପ୍ରକାର ବ୍ୟବସ୍ଥା କରିଛି ।  ଏହା ମଧ୍ୟରେ ତାଙ୍କ ବାପା ଓ ମା ପ୍ରାଣ ହରାଇସାରିଛନ୍ତି ।  ଗାଁରେ ତାଙ୍କ କାକା ଓ ବଡବାପାଙ୍କ ପରିବାର ସଦସ୍ୟ ରହୁଛନ୍ତି ।  ବିରଜୁ ଘରକୁ ଫେରୁଥିବାରୁ ତାଙ୍କ ପରିବାର ଲୋକେ ଖୁସି ପ୍ରକଟ କରିଛନ୍ତି ।