କନକ ବ୍ୟୁରୋ : ଆଜିଠାରୁ ସପ୍ତାହେ ସଟଡାଉନ୍ ରହିବ ଓଡ଼ିଶା ହାଇକୋର୍ଟ । ରାଜ୍ୟ ଓ କଟକ ସହରରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହାଇକୋର୍ଟର ଅନେକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସଟଡାଉନ୍ ରହିବ ବୋଲି ରେଜିଷ୍ଟ୍ରାର୍ ଜେନେରାଲ୍ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Advertisment

ବିଜ୍ଞପ୍ତି ଅନୁଯାୟୀ ମେ ୨୮ ତାରିଖରେ ପୂର୍ବରୁ ଘୋଷଣା ହୋଇଥିବା ନିୟମ ମୁତାବକ ହାଇକୋର୍ଟ କାର୍ଯ୍ୟ କରିବ। କିନ୍ତୁ ସଟଡାଉନ୍ ସମୟରେ କୌଣସି ଅବସରକାଳୀନ ବେଞ୍ଚ୍ କାର୍ଯ୍ୟ କରିବ ନାହିଁ । ଗ୍ରୀଷ୍ମ ଅବକାଶର ଅବକାଶକାଳୀନ ବେଞ୍ଚ୍ ମେ ୩୧, ଜୁନ୍ ୨ ଓ ଜୁନ୍ ୪ ତାରିଖରେ କାର୍ଯ୍ୟ କରିବ । ସେହି ୩ଟି ତାରିଖରେ କୌଣସି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ତାରିଖର ପୂର୍ବଦିନ କାର୍ଯ୍ୟ ଦିବସରେ ରେଜିଷ୍ଟ୍ରାର ଓ ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟରେ ପୂର୍ବରୁ ଘୋଷଣା ହୋଇଥିବା ବ୍ୟବସ୍ଥାରେ ତାଲିକାଭୁକ୍ତ କରାଯାଇ ପାରିବ ।

ମେ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକଡାଉନ୍ ସମୟରେ ଯଦି ଏଭଳି କୌଣସି ମାମଲା ରହିଥାଏ, ଯାହାକି ମେ ୩୧ ତାରିଖ ପର୍ଯ୍ୟନ୍ତ ଶୁଣାଣି ପାଇଁ ଅପେକ୍ଷା କରାଯାଇପାରିବ ନାହିଁ, ତେବେ ସେଭଳି ମାମଲାର ଗୁରୁତ୍ବ ସଂପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ଦେଇ ରେଜିଷ୍ଟ୍ରାରଙ୍କ ନିକଟରେ ଦିନ ୧୧ଟା ରୁ ୧୨ଟା ମଧ୍ୟରେ ଇମେଲ୍ [email protected] ଜରିଆରେ ଆଇନଜୀବୀ ଦାଖଲ କରି ପାରିବେ। କିନ୍ତୁ ଏହି ସମୟରେ କୌଣସି ଚିଚାରଗତ ମାମଲା ରୁଜୁ ନ କରିବାକୁ ଆଇଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।