କନକ ବ୍ୟୁରୋ : ଶପଥ ନେଲେ ଦୁଇ ନୂଆ ବିଚାରପତି । ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି । ଉଭୟଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଶପଥପାଠ କରାଇଛନ୍ତି । ଦୁଇ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ର ପହଞ୍ଚିଛି । ଅଗଷ୍ଟ ୧୭ ତାରିଖରେ ଦୁଇ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ଏହା ସହ ଉଭୟଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Advertisment

ଜଷ୍ଟିସ୍  ଶିବଶଙ୍କର ମିଶ୍ର ଜୟପୁର ଠାରେ ୧୯୬୮ ମେ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତ ଅନଙ୍ଗଭୀମ ମିଶ୍ର ଓ ସ୍ବର୍ଗତ ଶଶିରେଖା ମିଶ୍ରଙ୍କ ପୁଅ ଶିବଶଙ୍କର କୋରାପୁଟର ଜୟପୁର ଲ କଲେଜରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ । କୋରାପୁଟ ଜିଲ୍ଲାର ପ୍ରଥମ ବ୍ୟକ୍ତିଭାବେ ସେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ‌ପାଇବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଜଷ୍ଟିସ୍ ମିଶ୍ର ୧୯୯୧ ଡିସେମ୍ବର ୭ରେ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିବା ବେଳେ ତାଙ୍କର ଏହି ପେସାରେ ୩୦ ବର୍ଷର ଅନୁଭବ ରହିଛି । ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କ ବିଶେଷ ଦକ୍ଷତା ରହିଛି । ସୁପ୍ରିମକୋର୍ଟରେ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଅନ୍ ରେକର୍ଡ ଅଛନ୍ତି। ସେ ଓଡ଼ିଶା ହାଇକୋର୍ଟ ଓ ‌କେନ୍ଦ୍ର ସରକାରଙ୍କ ପାଇଁ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ।

ସେହିଭଳି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ୧୯୬୪ ମେ ୨୩ରେ ଜନ୍ମଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଜଷ୍ଟିସ୍ ବେହେରା ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡଭାଇଜର ଭାବେ କାର୍ଯ୍ୟରତ ଥିବା ବେଳେ ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ନାଁ ସୁପାରିସ କରିଥିଲା ।