ତୁରନ୍ତ ଫେରାଅ ଜବତ ଗାଡି… ପୋଲିସକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ । ସବୁ ସୁବିଧା ହାତପାହାନ୍ତାରେ ମିଳୁନି, ଲକଡାଉନ ବେଳେ ମାନବିକତା ଭୁଲି ନଯାଉ ପୋଲିସ

3,969

କନକ ବ୍ୟୁରୋ: ଗାଡି ଜବତ ନେଇ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ । ତାଲାବନ୍ଦ ବେଳେ ପୋଲିସକୁ ତାଗିଦ କଲେ ହାଇକୋର୍ଟ । ସଟଡାଉନ ସମୟରେ ଗାଡି ଜବତ କରିପାରିବନି ପୋଲିସ । ବିଭିନ୍ନ ସ୍ଥାନରୁ ଜବତ ଗାଡିକୁ ତୁରନ୍ତ ଫେରାଉ ପୋଲିସ । ଅଣ୍ଡରଟେକିଂ ଲେଖି ଜବତ ଗାଡି ଛଡାଯାଉ ବୋଲି ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ହାଇକୋର୍ଟ କହିଛନ୍ତି କି ଲକଡାଉନ ସମୟରେ ମାନବିକତା ଭୁଲି ନଯାଉ ପୋଲିସ । ଅନେକ ସ୍ଥାନରେ ପାଦଚଲା ଦୂରତାରେ ଜରୁରୀ ସାମଗ୍ରୀ ମିଳୁନି । ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧର ସୁବିଧା ସବୁଠି ନାହିଁ । ତେଣୁ ଜଣେ ଗାଡିରେ ଦୂରାନ୍ତ ସ୍ଥାନକୁ ଯାଇ ସାମଗ୍ରୀ ଆଣିପାରିବାକୁ ସଙ୍କେତ ଦେଇଛନ୍ତି ହାଇକୋର୍ଟ ।

ସେପଟେ କରୋନା ମୁକାବିଲା ପାଇଁ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ବଜାର ହାଟରେ ଲୋକଙ୍କ ଅସମ୍ଭବ ଭିଡ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଆଉ ବିନା ଗାଡିରେ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଅନୁରୋଧ କରାଯାଇଥିଲା । ଗାଡି ନନେଇ ନିକଟସ୍ଥ ମାର୍କେଟକୁ ପାଦରେ ଚାଲି ଚାଲି ଯାଇ ସାମଗ୍ରୀ ଆଣିବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ କିଛି ଅମାନିଆ ଲୋକ ସରକାରଙ୍କ ପରାମର୍ଶ ନମାନି ବେପରୁଆ ଭାବେ ରାସ୍ତାକୁ ଗାଡି କାଢିଥିବା ଦେଖିବାକୁ ମିଳିଥିଲା । ଆଉ ପୋଲିସ ସେମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଆପଣାଇ ଗାଡି ଜବତ କରିଥିଲା । ମାତ୍ର ଏବେ ହାଇକୋର୍ଟ ପୋଲିସର ଏଭଳି କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନ ଉଠାଇ ଗଜତ ଗାଡିକୁ ତୁରନ୍ତ ଫେରାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।