ପାର୍ବଣରେ ପ୍ରଭାବିତ ଛୋଟ ବ୍ୟବସାୟୀଙ୍କୁ ସହାୟତା ଆବେଦନର ଶୁଣାଣି : ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

ଅନ୍ୟ ବାଟରେ ସମାଧାନ ପାଇଁ ଦେଲେ ପରାମର୍ଶ

85

କନକ ବ୍ୟୁରୋ : ପାର୍ବଣରେ କଟକଣା ଯୋଗୁଁ ପ୍ରଭାବିତ ହେବାକୁ ଥିବା ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ଦେବା ଆବେଦନର ଶୁଣାଣି କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାରଙ୍କ ନୀତିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ, ଯେ କୋଭିଡ କଟକଣା ଯୋଗୁଁ ଅନେକ ବ୍ୟବସାୟୀ କ୍ଷତି ସହିବେ । ତେଣୁ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଆଖିରେ ରଖି ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତି । ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କରୋନାକୁ ଆଖିରେ ରଖି ରାଜ୍ୟ ସରକାର ନୀତି ଘୋଷଣା କରିଛନ୍ତି ।

ସରକାରଙ୍କ ନୀତି ଉପରେ କୋର୍ଟ କୌଣସି ନିର୍ଦ୍ଦେଶ ଦେଇ ପାରିବେ ନାହିଁ । ଏଣୁ ଅନ୍ୟ ଉପାୟରେ ଏହି ସମସ୍ୟାର ସମାଧାନ କରିବାକୁ ଆବେଦନକାରୀଙ୍କୁ କୋର୍ଟ ପରାମର୍ଶ ଦେଇଛନ୍ତି । କଟକର ୨୦ପୂଜା କମିଟି, ପାର୍ବଣ ପାଇଁ ଜାରି ଏସଓପି ନେଇ କୋର୍ଟରେ ୨ଟି ଆବେଦନ କରିଥିଲେ । ପ୍ରଥମ ଦାବି ଥିଲା ପୂଜା ଉତ୍ସବକୁ ନେଇ ଜାରି ଏସଓପି କୋହଳ କରାଯାଉ । ଦ୍ୱିତୀୟ ଆବେଦନରେ ଦାବି କରାଯାଇଥିଲା ଯେ କଟକଣା ଯୋଗୁଁ କ୍ଷତି ସହିବାକୁ ଥିବା ବ୍ୟବସାୟୀଙ୍କୁ ଅନୁକମ୍ପା ମୂଳକ ସହାୟତା ଦିଆଯାଉ । ଆଉ ରାଜ୍ୟ ସରକାର ଏହି ସହାୟତା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନିବେଦନ କରିଥିଲେ ଆବେଦନକାରୀ ।