କନକ ବ୍ୟୁରୋ : ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ ନିଷ୍ପତ୍ତି ବର୍ତମାନ ପାଇଁ ସ୍ଥଗିତ ରଖାଯାଇଛି । କୋର୍ଟ ଶୁଣାଣିର ଲାଇଭ ଷ୍ଟ୍ରିମିଂକୁ ବିରୋଧ କରି ୯ ଯାଏଁ କୋର୍ଟ ବର୍ଜନ କରିଥିଲା ବାର ଆସୋସିଏସନ । ଗତକାଲି ହାଇକୋର୍ଟ ବାର ଆସୋସିଏସନ ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସାଧାରଣ ବୈଠକରେ ଆଲୋଚନା କରାଯାଇ ଆଇନଜୀବୀମାନେ ଦିନ ୨ଟାରୁ ମୁଖ୍ୟ ବିଚାରପତିଙ୍କ କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Advertisment

ଏ ସଂକ୍ରାନ୍ତରେ ହାଇକୋର୍ଟ ବାର ଆସୋସିଏସଦ ସଭାପତି ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ କହିଛନ୍ତି ଯେ ବାର ପ୍ରତିନିଧି ମୁଖ୍ୟ ବିଚାରପତିଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିବେ । ଲାଇଭ ଷ୍ଟ୍ରିମିଂ ପ୍ରସଙ୍ଗରେ ଆଇନଜୀବୀଙ୍କ ମତାମତ ଓ ପ୍ରସ୍ତାବ ପ୍ରସଙ୍ଗରେ ମୁଖ୍ୟ ବିଚାରପତିଙ୍କୁ ଅବଗତ କରାଯିବ । ମୁଖ୍ୟ ବିଚାରପତିଙ୍କ କୋର୍ଟ କାର୍ଯ୍ୟରେ ଯୋଗ ନଦେବା  ପାଇଁ ପୂର୍ବରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଏବେ ସ୍ଥଗିତ ରଖିବାକୁ ସାଧାରଣ ପରିଷଦରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଉଲ୍ଲେଖ ଯୋଗ୍ୟ ଯେ ହାଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣକୁ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ବିରୋଧ କରାଯାଇଥିଲା । ‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ୍ ରୁଲ୍ସ, ୨୦୨୧’କୁ ତରୁନ୍ତ ପ୍ରତ୍ୟାହାର ପାଇଁ ଆସୋସିଏସନ୍ ସଦସ୍ୟମାନେ ଦାବି କରିବା ସହିତ ଗତ ୨ ତାରିଖ ଦିନ ୨ଟାରୁ ମୁଖ୍ୟ ବିଚାରପତିଙ୍କ କୋର୍ଟ କାର୍ଯ୍ୟରେ ଯୋଗ ନ ଦେବା ପାଇଁ ସାଧାରଣ ପରିଷଦ‌ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହାପରେ ୪ ତାରିଖ ଦିନ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ କୋର୍ଟ କାର୍ଯ୍ୟରେ ଯୋଗ ନ ଦେବାକୁ ସ୍ଥିର କରାଯାଇଥିଲା ।