କେଉଁ ଆଧାରରେ ମେସିନ୍ ଜରିଆରେ ବାଲିଘାଟରୁ ବାଲି ଉଠାଇବା ପାଇଁ ଦିଆଯାଇଛି ଅନୁମତି । ଆଜି ଚୂଡାନ୍ତ ରାୟ ଶୁଣାଇବେ ହାଇକୋର୍ଟ

260

କନକ ବ୍ୟୁରୋ : ମେସିନ୍ ଜରିଆରେ ବାଲିଘାଟରୁ ବାଲି ଉଠାଇବା ପାଇଁ କେଉଁ ଆଧାରରେ ଅନୁମତି ଦିଆଯାଇଛି । ଏନେଇ ଆଜି ଚୂଡାନ୍ତ ରାୟ ଶୁଣାଇବେ ହାଇକୋର୍ଟ । ଏହି ରାୟ ଉପରେ କଟକ ତଥା ରାଜ୍ୟର ସମସ୍ତ ବାଲିଘାଟର ଭାଗ୍ୟ ନିର୍ଭର କରିବ । ଗତକାଲି ରାଜ୍ୟ ସରକାର ୨୨୦ ପୃଷ୍ଠାର ସତ୍ୟପାଠ ହାଇକୋର୍ଟରେ ଦାଖଲ କରିଛନ୍ତି । ଏହି ଜବାବ ପରେ ହାଇକୋର୍ଟ ବାଲିଘାଟ କିପରି ଚାଲିପାରିବ ସେଥିପାଇଁ ଆବଶ୍ୟକ ପରାମର୍ଶ ଦେବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଶାନ୍ତ କୁମାର ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଏବଂ ଜଷ୍ଟିସ୍ ଏମ୍. ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ବାଲିଘାଟରୁ କେଉଁ ଆଧାରରେ ମେସିନରେ ବାଲି ଉଠାଯାଇପାରିବ ତା ଉପରେ ଜବାବ ରଖିବାକୁ ହାଇକୋର୍ଟ ପୂର୍ବ ଶୁଣାଣିରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଆଧାରରେ ରାଜ୍ୟ ସରକାର ମେସିନ୍ ଜରିଆରେ ଖୋଳିବା ପାଇଁ ଅନୁମତି ଦେଇଛନ୍ତି । ନଦୀରେ ଦେଢ ମିଟର ପର୍ଯ୍ୟନ୍ତ ବାଲି ଉଠାଯିବ । ୩ ମିଟର ପର୍ଯ୍ୟନ୍ତ ବାଲି ଉଠାଇବା ପାଇଁ କାହାରିକୁ ଅନୁମତି ଦିଆଯାଇନାହିଁ ।