ଏଣିକି ଜେଲରେ ମିଳିବ ଜାମିନ ! କଏଦୀଙ୍କ ସଂଖ୍ୟା ବଢୁଥିବାରୁ ହାଇକୋର୍ଟ ନେଲେ ନିଷ୍ପତ୍ତି, ଓକିଲଙ୍କୁ କରାଗଲା ବାରଣ

Advertisment
ଏଣିକି ଜେଲରେ ମିଳିବ ଜାମିନ ! କଏଦୀଙ୍କ ସଂଖ୍ୟା ବଢୁଥିବାରୁ ହାଇକୋର୍ଟ ନେଲେ ନିଷ୍ପତ୍ତି, ଓକିଲଙ୍କୁ କରାଗଲା ବାରଣ

କନକ ବ୍ୟୁରୋ : ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ଜେଲରେ ସଢୁଛନ୍ତି କଏଦୀ। ଜେଲରେ କ୍ଷମତାଠାରୁ ୩ ଗୁଣରୁ ଅଧିକ ହେଲେଣି କଏଦୀ। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜେଲ ଭିତରେ କ୍ୟାମ୍ପ କୋର୍ଟ କରିବା ପାଇଁ ହାଇକୋର୍ଟ ନିଦ୍ଦେର୍ଶ ଦେଇଛନ୍ତି। ଏପରି ଆଦେଶ ସମ୍ପର୍କରେ ହାଇକୋର୍ଟ ରେଜିଷ୍ଟ୍ରାର ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଜଜଙ୍କୁ ଅବଗତ କରାଯାଇଛି। ଆଦେଶନାମାରେ ଉଲ୍ଲେଖ କରାଯାଇଛି ଯେ କାର୍ଯ୍ୟ ଦିବସରେ ଜେଲ ପରିସରରେ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହେବ। ଏଥି ପାଇଁ ପ୍ରିଜାଇଡିଂ ଅଫିସର (ବିଚାର ବିଭାଗୀୟ ଅଧିକାରୀ) ଜେଲ ପରିସରକୁ ନିଜ କର୍ମଚାରୀଙ୍କ ସହିତ ଯିବେ।

publive-imageପ୍ରିଜାଇଡିଂ ଅଫିସରଙ୍କ ସହିତ ଅଦାଲତର କିରାଣୀ, ଗ୍ରୁପ-ଡି କର୍ମଚାରୀ, ଷ୍ଟେନୋ ଓ କୋର୍ଟ ସବ୍ ଇନ୍ସପେକ୍ଟର (ସିଏସଆଇ) ଜେଲ ପରିସରରେ କ୍ୟାମ୍ପ କୋର୍ଟ କୋଠରିରେ ପହଞ୍ଚିବେ। ଅଦାଲତର କିରାଣୀ କିମ୍ବା ସିଏସଆଇ ମାମଲା ସଂପର୍କିତ ରେକର୍ଡ ଉପସ୍ଥାପନ କରିବେ। ଜାମିନ ଶୁଣାଣି ବେଳେ କ୍ୟାମ୍ପ କୋର୍ଟରେ କୋର୍ଟ କର୍ମଚାରୀ ଓ ସିଏସଆଇଙ୍କ ବ୍ୟତୀତ ଅନ୍ୟ କେହି ଯେପରି ଉପସ୍ଥିତ ନ ରହିବେ ତାହା ଜେଲ କର୍ତୃପକ୍ଷ ନିଶ୍ଚିତ କରିବେ। ଜେଲ୍ ପାରା ଲିଗାଲ ଭଲ୍ୟୁଣ୍ଟିୟର (ପିଏଲଭି)(ସ୍ବେଚ୍ଛାସେବୀ) ଜେଲ୍ ଭିତରେ ଉପସ୍ଥିତ ରହିବା ସଂପର୍କରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୁନିଶ୍ଚିତ କରିବେ।

publive-image

ଜାମିନରେ ଯିବା ପାଇଁ ଜେଲ କର୍ତୃପକ୍ଷଙ୍କ ସହାୟତାରେ ଜାମିନ ଆବେଦନ କରି ହେବ ବୋଲି ବିଚାରାଧୀନ ବନ୍ଦୀଙ୍କୁ ଜେଲ କର୍ତୃପକ୍ଷଙ୍କ ସହଯୋଗରେ ପିଏଲଭି ଅବଗତ କରିବେ। ଯଦି କୌଣସି ମାମଲାରେ ଜଣଙ୍କୁ ଜାମିନ ମଞ୍ଜୁର କରାଯାଏ ତେବେ ଅସ୍ଥାୟୀ ଭାବେ ଅଭିଯୁକ୍ତଙ୍କ ନିକଟରୁ ପିଆର୍ ବଣ୍ଡ ଗ୍ରହଣ କରାଯିବ। ଏପରି କ୍ଷେତ୍ରରେ ମାସେ/ଦୁଇ ମାସ ପରେ ଅଭିଯୁକ୍ତକୁ ନିୟମିତ ସିୟୋରିଟି ବଣ୍ଡ୍ ଦାଖଲ ପାଇଁ କୁହାଯିବ। ଏଥି ପାଇଁ ଏକ ତାରିଖ ଧାର୍ଯ୍ୟ କରାଯିବ। ଯଦି କୌଣସି ଅଭିଯୁକ୍ତକୁ ପୂର୍ବରୁ ଜାମିନ ମିଳି ସାରିଥିବ ଓ ବେଲ ବଣ୍ଡ ଦାଖଲ ନ ହେବାରୁ ସେ ଜେଲରୁ ବାହାରି ପାରୁ ନଥିବ ତେବେ ତାଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହେବ। ଯଦି କୌଣସି ପରିସ୍ଥିତିରେ ନିର୍ଦ୍ଧାରିତ ୬୦/୧୨୦ ଦିନ ଭିତରେ ବିଚାରାଧୀନ ବନ୍ଦୀଙ୍କ ବିରୋଧରେ ପୁଲିସ ରିପୋର୍ଟ ଦାଖଲ ନ ହୁଏ ତେବେ ସିଆରପିସିର ଧାରା ୧୬୭(୨) ଅନୁସାରେ ପଦକ୍ଷେପ ନିଆଯିବ।

publive-imageସିଆରପିସି, ଜିଆରସିଓ ଓ ଅନ୍ୟ ଆଇନ ଅନୁସାରେ ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ଜିଲ୍ଲା ଜଜ୍ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଦେଶନାମାରେ ସ୍ପଷ୍ଟ କରାଯାଇଛି। ଆଇନଜୀବୀଙ୍କ ଆନ୍ଦୋଳନକୁ ପାଖାପାଖି ଦୁଇ ମାସ ବିତିବାକୁ ବସିଥିବା ବେଳେ ଜେଲକୁ ଯାଇ ଏଭଳି ପରିସ୍ଥିତିରେ କ୍ୟାମ୍ପ କୋର୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏକ ବିରଳ ଘଟଣା ବୋଲି କୁହାଯାଉଛି। ପୂର୍ବରୁ ଭିଡିଓ କନଫରେନ୍ସିଂରେ ଶୁଣାଣି ଏବଂ ସ୍ବତନ୍ତ୍ର ସ୍ଥିତିରେ ସାମୟିକ କ୍ୟାମ୍ପ କୋର୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯିବାର ନଜିର ରହିଛି। କିନ୍ତୁ ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୃଷ୍ଟି ହୋଇଥିବା ସ୍ଥିତି ମୁକାବିଲା ପାଇଁ ରାଜ୍ୟରେ ଏହା ପ୍ରଥମ ବୋଲି ଆଇନଜୀବୀ ଦେବସ୍ନାନ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe