କନକ ବ୍ୟୁରୋ :ସଂକ୍ରମଣ କମିବା ପରେ ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା, ତେଲେଙ୍ଗାନା, ଦିଲ୍ଲୀ ଭଳି ରାଜ୍ୟରେ ସ୍କୁଲ ଖୋଲିଛି । କିନ୍ତୁ ଓଡିଶାରେ କିଛି ଦିନ ହେଲା ସଂକ୍ରମଣ ତଳମୁହାଁ ହୋଇଥିଲେ ମଧ୍ୟ ସ୍କୁଲ ଖୋଲିନାହିଁ । ସେପଟେ ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସ୍କୁଲ ଖୋଲିବା ସପକ୍ଷରେ ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଶିକ୍ଷାବିତ୍ ।
ସ୍କୁଲ ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଦୁଇ ମାସରେ ଖୋଲ ସ୍କୁଲ । ସ୍କୁଲ ଖୋଲିବା ନେଇ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏମିତି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋଭିଡ୍ ଗାଇଡଲାଇନକୁ ପାଳନ କରି କିଭଳି ସ୍କୁଲ ଖୋଲାଯିବ ଓ ପାଠପଢ଼ା ହେବ, ସେଥିପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏନେଇ କୋର୍ଟଙ୍କୁ ମଧ୍ୟ ଅବଗତ କରିବାକୁ ସରକାରଙ୍କୁ କହିଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବଜାର, ସପିଂ ମଲ୍ ସିନେମା ହଲ୍ ଖୋଲିଲାଣି, ହେଲେ ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ ନିଷ୍ପତି ହୋଇନି । ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢାରେ ଡୋରି ଲାଗିଛି । ତେଣୁ ପିଲାଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ, ଦର୍ଶାଇ ତୁରନ୍ତ ସ୍କୁଲ ଖୋଲିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରିଥିଲେ ଖୋର୍ଦ୍ଧାର ଜଣେ ମହିଳା ।
ସ୍କୁଲ ଖୋଲିବା ସପକ୍ଷରେ ମଧ୍ୟ ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । କହିଛନ୍ତି, କ୍ଲାସରୁମ ପାଠପଢ଼ା ବନ୍ଦ ଯୋଗୁଁ ପିଲାମାନେ ମାନସିକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ବିଦ୍ୟାଳୟ ଖୋଲିବା ଆବଶ୍ୟକ । ଆଗକୁ ମାଟ୍ରିକ ଓ ଯୁକ୍ତ ଦୁଇ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ରହିଛି । ଏପଟେ ସ୍କୁଲ ବନ୍ଦ ଯୋଗୁଁ ସିଲାବସ୍ ଶେଷ ହୋଇନାହିଁ । ପ୍ରାୟ ଦୁଇ ବର୍ଷ ହେଲା ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ସ୍କୁଲ ବାରଣ୍ଡା ମାଡିନାହାନ୍ତି । ତେଣୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶ୍ରେଣୀଗୃହ ପାଠପଢ଼ାର ଆବଶ୍ୟକତା ଥିବା କହିଛନ୍ତି ଶିକ୍ଷାବିତ୍ ।
ଓଡିଶାରେ ମଧ୍ୟ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ବିଚାର ବିମର୍ଷ କରୁଛନ୍ତି । ସମସ୍ତ ଷ୍ଟେକ ହୋଲଡର ମାନଙ୍କ ମତାମତ ବି ଗ୍ରହଣ କରୁଛନ୍ତି । ଏବଂ ସରସ୍ୱତୀ ପୂଜା ପରେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।