କନକ ବ୍ୟୁରୋ : ମାତ୍ର ୫ କୋଟି ଟଙ୍କାରେ ଓଡିସିଏକୁ କିଣିପାରିବ ଓଡିଶା । କେନ୍ଦ୍ର ସରକାରଙ୍କ ରସାୟନ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏହି ପିଏସୟୁ ଏବେ କ୍ଷତିରେ ଚାଲୁଛି । ୨୦୧୧-୧୨ରେ ବର୍ଷକୁ ପ୍ରାୟ ୨୪ କୋଟି ଟଙ୍କାର କାରବାର କରୁଥିବା ଏହି ପ୍ଲାଂଟ କିଛିବର୍ଷ ଲାଭରେ ଚାଲିବା ପରେ ଏବେ କ୍ଷତି ସହ ବିକ୍ରି ହେବାକୁ ବସିଛି । ପ୍ଲାଂଟର କର୍ମଚାରୀ ସଂଖ୍ୟା ୮୨ରୁ ୩୨କୁ ଖସିଆସିଛି । ଏହି ଯୌଥ ପ୍ରକଳ୍ପରେ ରାଜ୍ୟ ଇପିକଲର ୪୯ ପ୍ରତିଶତ ଅଂଶଧନ ଥିବାବେଳେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରାଳୟର ପିଏସୟୁ- ଆଇଡିପିଏଲର ୫୧ ପ୍ରତିଶତ ଅଂଶଧନ ରହିଛି ।

Advertisment

ତେବେ ଇପିକଲ ଚାହିଁଲେ ଏହାକୁ ମାତ୍ର ୫ କୋଟି ଟଙ୍କାରେ କିଣିପାରିବ ବୋଲି ୨୦୧୭ରେ ଚିଠି ଲେଖିଥିଲା ଆଇଡିପିଏଲ । ରାଜ୍ୟ ସରକାର ଘୋଷଣା କରିଥିବା ଅନ୍ଧାରୁଆରେ ଘରୋଇ କମ୍ପାନି ଭାରତ ବାୟୋଟେକର ପ୍ଲାଂଟ ତିଆରି ହେବାକୁ ପ୍ରାୟ ବର୍ଷେ ସମୟ ଲାଗିବ । ତେଣୁ ତୁରନ୍ତ ଏହି ପ୍ଲାଂଟକୁ ଅଳ୍ପ ଖର୍ଚ୍ଚରେ କିଣି କରୋନା ଟିକା ଉତ୍ପାଦନ ହୋଇପାରିବ ବୋଲି ପ୍ରସ୍ତାବ ଦେଇଛନ୍ତି କିଛିଦିନ ତଳେ ପ୍ଲାଂଟ ଇନଚାର୍ଜ ଜିଏମ ପଦରୁ ଅବସର ନେଇଥିବା ତାରାକାନ୍ତ ପ୍ରଧାନ ।