କନକ ବ୍ୟୁରୋ : କ୍ରିକେଟରେ ନିଜ କ୍ୟାରିୟର ପରେ ଏବେ ଫାର୍ମିଂ ବିଜେନସରେ ମହେନ୍ଦ୍ର ସିଂ ଧୋନୀ । ଫାର୍ମିଂ ବିଜନେସରେ ନିଜ ଦ୍ୱିତୀୟ ଇଂନିସ ଆରମ୍ଭ କରିଛନ୍ତି ଏହି ଦକ୍ଷ କ୍ରିକେଟର । ନିଜ ଫାର୍ମରେ ପରିବା ଚାଷ କରିବା ସହ ଏହାକୁ ନେଇ ମାର୍କେଟରେ ବିକୁଛନ୍ତି ଧୋନୀ । ଧୋନୀ ନିଜ ଫାର୍ମରେ ବିଭିନ୍ନ ଅର୍ଗାନିକ ପରିବା ଚାଷ କରୁଛନ୍ତି । ଆଉ ଏହି ପରିବା ଏବେ ମାର୍କେଟରେ ଯାଇ ବିକ୍ରି ହେଉଛି । ଧୋନୀଙ୍କ ପରିବା ମାର୍କେଟକୁ ଆସିବା ପରେ ଲୋକମାନେ ଏହାକୁ ବେଶ ପସନ୍ଦ କରିଛନ୍ତି ।
ବଜାରରେ ସେୟାର ପାଇଁ ଧୋନୀ ଅନୁପ୍ରବେଶକାରୀ ମୂଲ୍ୟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅନୁପ୍ରବେଶକାରୀ ମୂଲ୍ୟ ଅର୍ଥାତ ଆରମ୍ଭରୁ ନିଜ ଦ୍ରବ୍ୟକୁ ବଜାର ମୂଲ୍ୟଠୁ କମ ଦାମରେ ବିକିବା । ତାଙ୍କ ପରିବା ଅର୍ଗାନିକ ହୋଇଥିଲେ ମଧ୍ୟ ବଜାରରେ ଅନ୍ୟ ପରିବା ଠାରୁ ତାଙ୍କ ପରିବାର ମୂଲ୍ୟ କମ ରହିଛି ।
ବଜାରରେ ଧୋନୀଙ୍କ କୋବି କିଲୋ ପିଛା ୧୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଟମାଟୋ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଛି । ଯାହାକି ବଜାର ମୂଲ୍ୟଠାରୁ ଢେର କମ ଦାମ ରହିଛି । ତେବେ ଧୋନୀଙ୍କ ଫାର୍ମରୁ ଆସୁଥିବା ଏହି ପରିବା ଧୋନୀଙ୍କ ଟ୍ୟାଗ ଲଗାଯାଇ ବିକ୍ରି ହେଉଛି । ଫଳରେ ଲୋକମାନେ ଏଥିପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ଏହାସହ ଧୋନୀଙ୍କ ପରିବା ଦୋକାନ ଦାୟିତ୍ୱରେ ରହିଛନ୍ତି ଅର୍ସଦ ଆଲମ ନାମକ ଜଣେ ବ୍ୟକ୍ତି ।
ଏନେଇ ଅର୍ସଦ ଆଲମ କହିଛନ୍ତି, ଆମର ସବୁ ପନିପରିବା ଆର୍ଗାନିକ ଅଟେ । ଆଉ ଏଥିପାଇଁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି । ଏହାସହ ଧୋନୀଙ୍କ ଟ୍ୟାଗ ଲାଗୁଥିବାରୁ ଲୋକମାନଙ୍କର ଏହି ପରିବା ପ୍ରଥମ ପସନ୍ଦ ରହୁଛି ।
ରାଞ୍ଚିର ଧୁର୍ବାସ୍ଥିତ ସେମ୍ଭୋଠାରେ ୫୫ ଏକର ଜମିରେ ଧୋନୀ ଏହି ଫାର୍ମ କରିଛନ୍ତି । ବର୍ତ୍ତମାନ ତାଙ୍କ ଫାର୍ମରେ ଟମାଟୋ, ଫୁଲ କୋବି ଓ ବ୍ରୋକୋଲି ଚାଷ କରାଯାଉଛି । ଏହାସହ ଧୋନୀଙ୍କ ଏକ ଡାଏରୀ ଫାର୍ମ ମଧ୍ୟ ରହିଛି । ନିଜ ଡାଏରୀ ଫାର୍ମରେ ଧୋନୀ ଭାରତୀୟ ପ୍ରଜାତିର ସାହିୱାଲ ଓ ଫ୍ରାନ୍ସ ପ୍ରଜାତିର ଫିଜିଆନ ଗାଇ ରଖିଛନ୍ତି । ତାଙ୍କ ଡାଏରୀ ଫାର୍ମରୁ ଆସୁଥିବା ଦୁଗ୍ଧ ବଜାରରେ ବିକ୍ରି ହେଉଛି । ଯାହାର ଲିଟର ପିଛା ଦାମ ରହିଛି ୫୫ ଟଙ୍କା ।
ଖୁବ ଶୀଘ୍ର ଧୋନୀଙ୍କ ଫାର୍ମରୁ ମଟର, ଷ୍ଟ୍ରବେରୀ ଓ କଡକନାଥ କୁକୁଡା ଅଣ୍ଡା ମଧ୍ୟ ବଜାରରେ ଉପଲବ୍ଧ ହେବ । ଫାର୍ମଠାରୁ ଆରମ୍ଭ କରି ବଜାରର ଆଉଟଲେଟ ଉପରେ ଧୋନୀ ନଜର ରଖିଛନ୍ତି । ନିଜ ଫାର୍ମର ଦାୟିତ୍ୱ ଅନ୍ୟ ଲୋକଙ୍କୁ ଦେଇଥିଲେ ମଧ୍ୟ ଧୋନୀ ଫାର୍ମକୁ ମଝିରେ ମଝିରେ ଆସି ସବୁ ବୁଝାବୁଝି କରିଥାନ୍ତି ।
ଚଳିତ ବର୍ଷ ଧୋନୀ କ୍ରିକେଟକୁ ଅଲବିଦା କହିଥିଲେ । ଅବସର ପରେ ଆଇପିଏଲ ଖେଳିଥିଲେ । ହେଲେ ଏଥିରେ ତାଙ୍କୁ ପ୍ରଦର୍ଶନ କରିବାର ଦେଖିବାକୁ ମିଳି ନଥିଲା । ଏହାପରେ ଏବେ ତାଙ୍କୁ ଫାର୍ମିଂ ବିଜନେଓ କରୁଥିବାର ଦେଖିବାକୁ ମିଳିଛି ।