ନବରଙ୍ଗପୁରର ନିସ୍ୱାର୍ଥପର ମଣିଷ ପ୍ରୀତିଶ…ମୃତ୍ୟୁ ପୂର୍ବରୁ ନିଜର ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଚାଷୀଙ୍କ ନିଷ୍ପତି…ଯୁବକଙ୍କ ଏଭଳି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା

329

କନକ ବ୍ୟୁରୋ: ଦାନ ତ ଅନେକ ପ୍ରକାର ରହିଛି । କିଏ କେଉଁ ଲକ୍ଷ୍ୟ ପୂରଣ ପାଇଁ ବିଭିନ୍ନ ପ୍ରକାର ଦାନ କରିଥାନ୍ତି । ବିନା କୌଣସି ସ୍ୱାର୍ଥ ରଖି ନିଜ ଖୁସିରେ ବଞ୍ଚି ଅନ୍ୟ ମୁହଁରେ ଖୁସି ବାଂଟୁଥିବା ଲୋକ ହିଁ ପ୍ରକୃତ ଦାନୀ । ସେମିତି ଜଣେ ନିଶ୍ୱାର୍ଥପର ଦାନୀ ହେଉଛନ୍ତି ନବରଙ୍ଗପୁର ପ୍ରୀତିଶ ବିଶୋଇ । ଆଖି, ହୃତପିଣ୍ଡ ଏବଂ ଯକୃତ ଆଦି ଦାନ କରିବା ପାଇଁ ନିଷ୍ପତି ନେଇ ନିଜ ଅଂଚଳରେ ଉଦାହରଣ ପାଲଟିଛନ୍ତି ପ୍ରୀତିଶ ।

ଶୁଣିଲେ ଚମକି ପଡିବେ, ମୃତ୍ୟୁ ପୂର୍ବରୁ ନିଜର ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ପାଇଁ ସ୍ୱିକୃତୀ ଦେଇଛନ୍ତି ଜଣେ ଯୁବକ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ଅଂଚଳର ଯୁବକ ପ୍ରୀତିଶ ବିଶୋଇ । ପେଶାରେ ଜଣେ ଚାଷୀ । ମାଆ କୁମାରୀ ବିଶୋଇଙ୍କୁ ନେଇ ତାଙ୍କ ପରିବାର । ପୂର୍ବରୁ ଶିକ୍ଷକତା କରୁଥିବା ଚନ୍ଦ୍ର ଶେଖର ବିଶୋଇ ଓ ଏକ ମାତ୍ର ଭଉଣୀଙ୍କ ଦେହାନ୍ତ ହୋଇସାରିଛି । ନିଜ ଝିଅ ଓ ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିଲେ ପ୍ରୀତିଶଙ୍କ ମାଆ କୁମାରୀ ବିଶୋଇ । ଯଦି ନିଜ ଝିଅ ଓ ସ୍ୱାମୀଙ୍କ ଚକ୍ଷୁ ଦାନ କରିପାରିଥାନ୍ତେ, ବୋଧହୁଏ ଆଉ କାହା ଆଖି ଜରିଆରେ ସେମାନଙ୍କୁ ଦେଖିପାରିଥାନ୍ତେ ।

ମାଆଙ୍କ ଏହି କଥା ଆନ୍ଦୋଳିତ କରିଥିଲା ପୁଅ ପ୍ରୀତିଶଙ୍କୁ । ଆଉ ଅଙ୍ଗଦାନ କରିବା ପାଇଁ ନିଷ୍ପତି ନେଇଥିଲେ ପ୍ରୀତିଶ । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ନ୍ୟାସନାଲ୍ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ନୋଟୋ)ରେ ଅଙ୍ଗଦାନ କରିବା ପାଇଁ ନିଜ ନାମ ପଂଜୀକରଣ କରିଛନ୍ତି ପ୍ରୀତିଶ । ନିଜ ଶରୀରର ଆଖି, ହୃତପିଣ୍ଡ, ଯକୃତ ଦାନ କରିବା ପାଇଁ ସଙ୍କଳ୍ପ ନେଇଛନ୍ତି ପ୍ରୀତିଶ । ଆଉ ପ୍ରୀତିଶଙ୍କ ଏଭଳି ଉଦ୍ୟମକୁ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଇଛି ।

ତେବେ ମୃତ୍ୟ ପରେ ଶବ ସଂସ୍କାର କଲେ ମୋକ୍ଷ ମିଳିଥାଏ ବୋଲି ସ୍ଥାନୀୟ ଅଂଚଳରେ ବିଶ୍ୱାସ ରହିଛି । ହେଲେ ଏହାକୁ ଏକ ଅନ୍ଧବିଶ୍ୱାସ ବୋଲି କହି ଅଙ୍ଗଦାନ ପାଇଁ ପ୍ରୀତିଶଙ୍କ ନିଷ୍ପତି ଅନ୍ୟଙ୍କୁ ପ୍ରେରଣା ଯୋଗାଇଛି ।