କୋର୍ଟଙ୍କ ରାୟ ପରେ ବିଧାୟକ ପଦ ହରାଇପାରନ୍ତି ମହମ୍ମଦ ମୋକିମ୍ : ୩ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କଟକ ଭିଜିଲାନ୍ସ କୋର୍ଟ
କନକ ବ୍ୟୁରୋ : କୋର୍ଟଙ୍କ ରାୟ ପରେ ବିଧାୟକ ପଦ ହରାଇପାରନ୍ତି ମହମ୍ମଦ ମୋକିମ୍ । ୨୦୧୩ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ୨ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ପାଇବେ ପଦ ହରାଇବେ ବିଧାୟକ ଓ ସାଂସଦ । ମୋକିମଙ୍କୁ କଟକ ଭିଜିଲାନ୍ସ କୋର୍ଟ ୩ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।
ଏ ସମ୍ପର୍କରେ ମୋକିମ୍ କହିଛନ୍ତି ଯେ ଭିଜିଲାନ୍ସ କୋର୍ଟ ତାଙ୍କୁ ଦଣ୍ଡିତ କରିବା ପରେ ଜାମିନ୍ ଦେଇଛନ୍ତି । ସେ ଏହି ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିବେ । ତାଙ୍କର ସଦସ୍ୟତା ସୁରକ୍ଷିତ ରହିବ କି ନାହିଁ ତାହା ଅଦାଲତରେ ସ୍ପଷ୍ଟ ହୋଇଯିବ । ସେ ଆଇନ ବିଶେଷଜ୍ଞଙ୍କ ସହ ଆଲୋଚନା କରୁଛନ୍ତି । ଭିଜିଲାନ୍ସ କୋର୍ଟ ଯେଉଁ ଘଟଣାରେ ତାଙ୍କୁ ଦଣ୍ଡିତ କରିଛି, ସେଥିରେ ତାଙ୍କର ଦୋଷ ନଥିଲା । ଉଚ୍ଚ ଅଦାଲତରେ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି ।
୨୦୧୩ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ମୋକିମଙ୍କ ବିଧାନସଭା ସଦସ୍ୟତା ପଦ ରାୟ ପ୍ରକାଶ ସମୟରୁ ହିଁ ରଦ୍ଦ ହୋଇଯିବ ବୋଲି କୁହାଯାଉଛି । ୨୦୧୩ ଜୁଲାଇ ୧୦ ତାରିଖରେ ଲିଲି ଥୋମାସ୍ ବନାମ ଭାରତ ସରକାର ମାମଲାର ବିଚାର କରି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଓ ଜଷ୍ଟିସ୍ ଏସ୍.ଜେ. ମୁଖୋପାଧ୍ୟାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଧାୟକ/ସାଂସଦଙ୍କ ସଦସ୍ୟତା ରଦ୍ଦ ସଂପର୍କରେ ରାୟ ପ୍ରକାଶ କରିଥିଲେ ।
ରାୟ ଶୁଣାଇ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ଜନ ପ୍ରତିନିଧି ଆଇନ-୧୯୫୧ର ଧାରା ୮ର ଉପଧାରା ୧, ୨, ୩, ୪ର ତର୍ଜମା କରି ତାହାକୁ ଅଲଟ୍ରାଭାଇରସ୍ ଭାବେ ଉଲ୍ଲେଖ କରିଥିଲେ । ଅର୍ଥାତ୍ ଧାରା ୮ର ଉପଧାରା ୪ରେ ପୂର୍ବରୁ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବାପରେ ବିଧାୟକ ଓ ସାଂସଦଙ୍କୁ ଯେଉଁ ସୁରକ୍ଷା ମିଳୁଥିଲା, ତାହା ମିଳିପାରିବ ନାହିଁ ବୋଲି ସେହି ରାୟରୁ ସ୍ପଷ୍ଟ ହୋଇଥିଲା। ରାୟ ଅନୁଯାୟୀ ଯଦି ବିଧାୟକ, ସାଂସଦ ଅଥବା ବିଧାନ ପରିଷଦ ସଦସ୍ୟ କୌଣସି ମାମଲାରେ ୨ ବର୍ଷରୁ ଅଧିକ କାରାଦଣ୍ଡରେ ଦଣ୍ଡିତ ହୁଅନ୍ତି, ତେବେ ରାୟ ପ୍ରକାଶ ପାଇବା ସମୟରୁ ହିଁ ତାଙ୍କ ସଦସ୍ୟ ପଦ ରଦ୍ଦ ହୋଇଯିବ।