ଏମିତି ବି ଥାନ୍ତି ଠକ! ମଗାଉଥିଲା ଦାମୀ ଜିନିଷ, ଫେରାଉଥିଲା ଇଟା । ଏବେ ଗଲା ଜେଲ 

6,164

କନକ ବ୍ୟୁରୋ : ଯେତେ ଦାମୀ ଜିନିଷ ସବୁ ଅନ ଲାଇନରେ ମଗାଉଥିଲା। ଲାପଟପ, ଆଇ-ଫୋନ, ସନ ଗ୍ଲାସ, ଦାମୀ ସୁଟ ମଗାଇ ପୁଣି ଫେରାଇ ଦେଉଥିଲା। ଡେଲିଭରି ବଏ ଠାରୁ ମାଲ ନେଇ ପଇସା ଆଣିବା ପାଇଁ ଘରକୁ ଯାଉଥିଲା। ମାତ୍ର ୧୦ ମିନିଟରେ କମ୍ପାନୀ ପ୍ୟାକକୁ କାଟି ଜିନିଷ ବାହାର କରି ଇଟା ପଥର, କୁଟା ପୁରାଉଥିଲା। ଏଭଳି ପ୍ୟାକ କରୁଥିଲା ଯେ ଡେଲିଭରି ବୟ ଜାଣିପାରୁନଥିଲା। ମାଲ ରଖିବନି କହି ଫେରାଇଦେବା ପରେ ଭଲ ଜିନିଷ ଦେଇ ଇଟା ପଥର ଆଣି ଡେଲିଭରି ବୟ ଫେରୁଥିଲା।

ଏପଟେ ଏ ସବୁକୁ କମ ଦରରେ ବିକି ସେ ମାଲାମାଲ ହେଉଥିଲା। ତା ପାଖରେ ଦାମୀ ଜିନିଷ କମ ଦରରେ ନେବାକୁ ଭିଡ଼ ଜମୁଥିଲା। ବିଭିନ୍ନ ଅନ ଲାଇନ ସଂସ୍ଥା ଠକାମୀରେ ପଡିବା ପରେ ମଞ୍ଚେଶ୍ୱର ଥାନା ପୁଲିସ ଏହି ଧୁର୍ତ୍ତକୁ ଧରିଛି। ସେ ହେଉଛି ରସୁଲଗଡ଼ ଶବର ସାହିରେ ରହୁଥିବା କେନ୍ଦ୍ରାପଡା କଣ୍ଟିଆର ଧର୍ମେନ୍ଦ୍ର କୁମାର ଜେନା। ତା ଠାରୁ ଗୋଟିଏ ଲାପଟପ, ଗୋଟିଏ ଆଇ ଫୋନ, ରେ ବ୍ୟାନ ଚଷମା, ଲୁଇସ ଫିଲିପର ସୁଟ ଜବତ କରା ଯାଇଛି। ୬ମାସ ଭିତରେ ସେ ୪ଟି କମ୍ପାନୀକୁ ପ୍ରାୟ ୭ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ଥିବା ପୁଲିସ କହିଛି। ଆଜି ସେ ଗିରଫ ହେବା ବେଳେ ତାର ୫ଟି ଦାମୀ ଜିନିଷ ପାର୍ଶଲ ଆସିଥିଲା। ପୁଲିସ ତାକୁ ଧରି ନେଉଥିବାରୁ ଡେଲିଭରି ବୟ ଫେରି ଯାଇଥିଲା। ଫ୍ଲିପକାର୍ଟର ଭୁବନେଶ୍ୱର ମୁଖ୍ୟ ପ୍ରଶାନ୍ତ ଦଳେଇଙ୍କ ଅଭିଯୋଗକୁ ଆଧାର କରି ମଞ୍ଚେଶ୍ୱର ଥାନା ପୁଲିସ ମାମଲା ରୁଜୁ କରିଥିଲା।

ସୂଚନା ମୁତାବକ, ଦୀର୍ଘ ବର୍ଷେ ହେବ ଧର୍ମେନ୍ଦ୍ର ଏଠାରେ ଚାକିରୀ ଖୋଜିବା ଆଳରେ ରହି ଆସୁଥିଲା। ଲକଡାଉନ ପରେ ଅନଲାଇନ କାରବାର ବଢିବାରୁ ସେ ଏଭଳି ଠକେଇ ପାଇଁ ଯୋଜନା କରିଥିଲା। ପ୍ରଥମେ ଏକ ମୋବାଇଲ ମଗାଇ ଏଭଳି ଠକିବାକୁ ସଫଳ ହୋଇଥିଲା। ଏହା ପରେ ସେ ବିଭିନ୍ନ ସଂସ୍ଥାକୁ ଟାର୍ଗେଟ କରି ଏଭଳି ଠକେଇ ଚଳାଇ କରିଥିଲା। ଫ୍ଲିପକାର୍ଟ ଠକେଇର ପଡିବା ପରେ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗକୁ ଆଧାର କରି ପୁଲିସ ଆଜି ତାକୁ ଗିରଫ କରିଛି। ଯେଉଁମାନେ ତା ଠାରୁ ଜିନିଷ କିଣିଛନ୍ତି ଏବେ ପୁଲିସ ସେମାନଙ୍କୁ ଖୋଜୁଛି।