କନକ ବ୍ୟୁରୋ : ପାର୍ବଣରେ କେମିତି ହେବ ଛ’ ତିଅଣ ନଅ ଭଜା ? ଖାଇବା ଥାଳିରୁ ଉଭାଇ ଯାଇପାରେ କଞ୍ଚା ପରିବା ! ପାର୍ବଣରେ ସୃଷ୍ଟି ହୋଇପାରେ ପରିବା ସଙ୍କଟ । ଏଭଳି ଆଶଙ୍କା ଏଥିପାଇଁ ସୃଷ୍ଟି ହୋଇଛି-କାରଣ ଆସନ୍ତା ୨୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ହେବ ୧ ନମ୍ବର ପରିବା ହାଟ । ତା ସହ ବନ୍ଦ ହୋଇଯିବ ଆଇଗିଣିଆ ପରିବା ମଣ୍ଡି । ବିଏମସି ସାମ୍ନାରେ ୭ ଦଫା ଦାବି ରଖିଛି ସଂଘ । ଭୁବନେଶ୍ୱର ସମେତ ରାଜ୍ୟରେ କଞ୍ଚା ପରିବା ସଙ୍କଟ ଦେଖା ଦେଇପାରେ ।

Advertisment

କାରଣ ମହାରାଷ୍ଟ୍ର, ବେଙ୍ଗାଲୁରୁ, ପଶ୍ଚିମବଙ୍ଗ, ତେଲେଙ୍ଗାନାରୁ ଆସୁଥିବା ପରିବା ଟ୍ରକ ଆଉ ଆସିବ ନାହିଁ । ଏନେଇ ନିଷ୍ପତି ନେଇଛି କଞ୍ଚା ପରିବା ବ୍ୟବସାୟୀ ସଂଘ। ଏସବିଆଇ କଡ଼ରେ ଥିବା ରାସ୍ତାକୁ ଅବରୋଧ ୟୁନିଟ ୧ ଦୁର୍ଗାପୂଜା କମିଟି ପକ୍ଷରୁ କରାଯାଇଛି ବୋଲି ଅଭିଯୋଗ କରିଛି ମହାଜନ ସଂଘ । ଏହାସହ ଏହି ରାସ୍ତା କଡରେ ଥିବା ପ୍ଲାଷ୍ଟିକ୍ ବଜାରକୁ ଉଛେଦ କରିବା ପାଇଁ ମଧ୍ୟ ଦାବି କରିଛି ସଂଘ । ଏହାଛଡ଼ା ଭଗବାନପୁରରେ ଥିବା ୧୦ ଏକର ଜମି ଯୋଗାଇଦେବାକୁ ସଂଘ ଦାବି କରିଛି ।

ଅନ୍ୟପଟେ ଘଟଣାକୁ ତର୍ଜମା କରୁଛନ୍ତି ବୋଲି କହିଛନ୍ତି ବିଏମସି କମିସନର। ବର୍ତ୍ତମାନ ହାଟ ବନ୍ଦ ଚ୍ୟାଲେଞ୍ଜକୁ ତୂରନ୍ତ ସାମଧାନ କରାଯିବ । ଏହାଛଡ଼ା ଭଗବାନପୁରରେ ହାଟ ପାଇଁ ଯେଉଁ ଜାଗା ପ୍ରଦାନ କରାଯାଇଛି । ତାହାକୁ ମଧ୍ୟ ନଜରରେ ରଖି ସ୍ଥାୟୀ ସମାଧାନ କରାଯିବ ବୋଲି କହିଛନ୍ତି ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ । ପାର୍ବଣରେ ପରିବା ସଂକଟ ଆଶଙ୍କା ସବୁଠି ଚିନ୍ତା ବଢ଼ାଇ ଦେଇଛି। ଏମିତି ଆଜିଠାରୁ କିଛି କିଛି ପରିବାର ଦରବୃଦ୍ଧି ଆରମ୍ଭ ହୋଇଯାଇଛି ।