କନକ ବ୍ୟୁରୋ : ବାହାଘର ହେଉ କିମ୍ବା ବ୍ରତଘର, ଅବା କୌଣସି ସଭା ସମିତି ସବୁଠାରେ ବ୍ୟବହୃତ ହୋଇଥାଏ ଅର୍କିଡ଼ ଫୁଲ । ଆଉ ଏହି ଫୁଲ ବେଶ ଦାମୀକିଆ ହୋଇଥିବା ବେଳେ ଅଧିକ ଦିନ ପର୍ୟ୍ୟନ୍ତ ସତେଜ ରହିଥାଏ । ତେଣୁ ଅଧିକାଂଶ ଲୋକେ ଏହି ଚାଷ କରିବାକୁ ପସନ୍ଦ କରୁଛନ୍ତି । ଗଞ୍ଜାମ ରାମଗଡ଼ ପଞ୍ଚାୟତର ଗଜପତି ନଗର ଠାରେ ହରପାର୍ବତି ଓ ହରିଜନ ମତ୍ସ୍ୟଜୀବୀ ନାମକ ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀ ଏହି ଫୁଲ ଚାଷ କରିଛନ୍ତି । ୧୯୨୦ ସ୍କୋୟାର ଫୁଟ ତଥା ଅଧା ଏକର ଜମିରେ ଦୁଇଟି ଫୁଲ ବଗିଚା ନିର୍ମାଣ କରି ଅର୍କିଡ଼ ଫୁଲ ଚାଷ କରିଛନ୍ତି । ଅର୍କିଡ଼ ଫୁଲ ଚାଷ ପାଇଁ ଚାରା ଥାଇଲାଣ୍ଡରୁ ଆସିଛି । ସ୍ଥାନୀୟ ବଜାରରୁ ନଡ଼ିଆ କତା ଆଣି ଗଛ ପ୍ରସ୍ତୁତ କରାଯାଇଛି । ଗତ ବର୍ଷ ଜୁନ ମାସରେ ଏହି ଚାଷ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଗଛରୁ ଫୁଲ ତୋଳା ହୋଇ ବିକ୍ରି ହେଲାଣି । ମାସକ ମଧ୍ୟରେ ୯୨ ହଜାର ଟଙ୍କାର ଫୁଲ ବିକ୍ରି କରି ଲାଭବାନ ହୋଇଛନ୍ତି ଏସଏଚଜି ମହିଳା । ସକାଳ ୧୦ଟାରୁ ଦୁଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବଗିଚାରେ ପହଞ୍ଚି ଯାଉଛନ୍ତି । ୧୦ରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ବଗିଚାରେ କାମ କରନ୍ତି । କିଏ ଗଛର ନଷ୍ଟ ହୋଇଥିବା ପତ୍ରକୁ ସଫା କରିଥାଏ ତ ଆଉ କିଏ ପୋକ ଲାଗିଥିବା ଗଛରେ ଔଷଧ ପକାଏ । ଏହିପରି ଭାବେ ମହିଳା ମାନେ ଗଛର ଯତ୍ନ ନିଅନ୍ତି । ଏବେ ଏହି ଫୁଲ ଚାଷରୁ ଭଲ ଲାଭ ମିଳୁଥିବା ରୁ ଖୁସି ପ୍ରକାଶ କରିଛନ୍ତି ମହଳା ।

Advertisment

ପୂର୍ବରୁ ମହିଳା ମାନେ ଗେଣ୍ଡୁ ଫୁଲ ଚାଷ କରୁଥିଲେ । ଗେଣ୍ଡୁ ଚାଷ ବର୍ଷକରେ ମାତ୍ର ୪ ମାସ ହେଉଥିବା ବେଳେ ବଳକା ୮ ମାସ ଖାଲିରେ ବସୁଥିଲେ । ବ୍ଳକର ବିପିଏମ ଅଫିସର ମହିଳା ମାନଙ୍କୁ ଅର୍କିଡ଼ ଫୁଲ ଚାଷ କରିବା ପାଇଁ କହିବା ସହ ସହାୟତାରେ ହାତ ବଢ଼ାଇଥିଲେ । ଏହାପରେ ମହିଳା ମାନେ ଅର୍କିଡ଼ ଫୁଲ ଚାଷ କରିବା ପାଇଁ ବ୍ୟାଙ୍କରୁ ୫୦ ଲକ୍ଷ ଟଙ୍କା ଋଣ କରି ଏହି ଚାଷ କରୁଛନ୍ତି । ବେଙ୍ଗଲୁରୁର ଏକ ସଂସ୍ଥା ଦୁଇଟି ବଗିଚାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିଛି । ଏହାଛଡ଼ା ମିଶନ ଶକ୍ତିରୁ ୪ ଲକ୍ଷ, ଜିପିଏଲଏଫରୁ ୧ ଲକ୍ଷ ଓ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ୬୦ ହଜାର ଟଙ୍କା ବାହାର କରି ଏହି ଦୁଇଟି ବଗିଚା ପ୍ରସ୍ତୁତ କରିଛନ୍ତି । ମହିଳା ମାନେ ଏକ ବର୍ଷ ଧରି କଷ୍ଟ କରି ଗଛକୁ ବଡ଼ କରିବା ପରେ ଗତ ମାସେ ହେଲା ଗଛରୁ ଫୁଲ ତୋଳା ହେଉଛି । ଆଉ ମାସକ ଭିତରେ ବାହାରିଥିବା ଫୁଲକୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକ, ଭୁବନେଶ୍ବର ଓ ରାଉରକେଲାରେ ବିକ୍ରି କରି ୯୨ ହଜାର ଟଙ୍କା ପାଇଛନ୍ତି । ଗୋଟିଏ ଷ୍ଟିକ୍ରେ ୨ ରୁ ୩ଟି ଫୁଲ ରହିଥିଲେ ତାହାର ଦାମ ୭ ଟଙ୍କା । ୪ ରୁ ୫ଟି ଫୁଲ ରହିଥିଲେ ତାହାର ଦାମ ୧୨ ରୁ ୧୫ ଟଙ୍କା । ୮ ରୁ ୧୦ଟି ଫୁଲ ରହିଥିଲେ ୧୮ ରୁ ୨୦ ଟଙ୍କାରେ ବିକ୍ରି ହୋଇଥାଏ । ପ୍ରତିମାସରେ ଏକ ଲକ୍ଷରୁ ଅଧିକ ଫୁଲ ବିକ୍ରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମହିଳା । ବାର୍ଷିକ ଏହି ଫୁଲ ଚାଷରୁ ୧୨ ଲକ୍ଷରୁ ୧୫ ଲକ୍ଷ ଟଙ୍କା ଲାଭ ମିଳିପାରିବ ବୋଲି କହିଛନ୍ତି ମହିଳା ।

୧୫ ବର୍ଷ ପାଇଁ ଜମିକୁ ଅର୍କିଡ଼ ଚାଷ କରିବା ନିମନ୍ତେ ମହିଳା ମାନେ ଲିଜ ନେଇଛନ୍ତି । ଏହି ସମୟ ମଧ୍ୟରେ ଋଣ ଆଣିଥିବା ଟଙ୍କାକୁ ପରିଷଧ କରିବା ସହିତ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବା ନେଇ ଆଶାବାଦୀ ଅଛନ୍ତି ମହିଳା ।