ପ୍ରାଣୀ ଦେଖାଇଲା ମାନବିକତା : ପାଣିରେ ଫସିଥିବା ବ୍ୟକ୍ତିଙ୍କୁ ପାଣିରୁ ଉଦ୍ଧାର କଲା ଓରାଙ୍ଗଓଟାନ୍ , ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଫଟୋ ।

665

ମଣିଷ ଏବଂ ପଶୁ ମଧ୍ୟରେ ସମ୍ପର୍କ ସର୍ବଦା ଅତୁଟ ରହିଛି । ସେ ଗାଇ ହେଉ ଅବା କୁକୁର, ଦୁହେଁ ସର୍ବଦା ମଣିଷ ପ୍ରତି ବିଶ୍ୱାସଯୋଗ୍ୟ ହୋଇ ରହିଥାନ୍ତି ଏବଂ ମଣିଷ ମଧ୍ୟ ଏମାନଙ୍କୁ ଖୁବ ଭଲ ପାଇଥାଏ । ଆଜିକାଲି ଘରେ ଘରେ କୁକୁର ଏବଂ ଗାଇ ଲୋକେ ପାଳୁଥିବାର ଦେଖିବାକୁ ମିଳିଯାଏ । ତେବେ ଏଥି ମଧ୍ୟରେ ବେଳେ ବେଳେ ଏପରି ଘଟଣା ଦେଖିବାକୁ ମିଳିଥାଏ ଯାହା ପଶୁମାନଙ୍କ ପ୍ରତି ଥିବା ଭଲପାଇବାକୁ ବଢାଇ ଦେଇଥାଏ । ଏହି ଭଲପାଇବା ନେଇ କେତେବେଳେ ମଣିଷ ତାର ଗୃହପାଳିତ ପଶୁକୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥାଏ ତ ଆଉ କେବେ ପଶୁଟିଏ ତାର ମାଲିକକୁ ବଞ୍ଚାଇବାକୁ ପ୍ରାଣ ହରାଇଥାଏ । ଠିକ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ମଣିଷ-ପଶୁଙ୍କ ଏହି ଫଟୋ ଖୁବ୍ ଭାଇରାଲ ହେଉଛି । ଫଟୋରେ ଏକ ଓରାଙ୍ଗଓଟାନ୍ ସାପରେ ଭର୍ତ୍ତି ହୋଇଥିବା ଏକ ନଦୀରେ ଫସିଥିବା ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରୁଥିବା ଦେଖାଯାଇଛି । ଫଟୋଟି ବୋର୍ଣ୍ଣିଓର ଏକ ସଂରକ୍ଷିତ ଜଙ୍ଗଲର । ସେଠାରେ ବାସ କରୁଥିବା ଏକ ଓରାଙ୍ଗଓଟାନ୍ ସାପ ଭର୍ତ୍ତି ହୋଇଥିବା ଏକ ନଦୀରେ ଫସିଥିବା ବ୍ୟକ୍ତିକୁ ସାହାଯ୍ୟ କରିବାକୁ ହାତ ବଢ଼ାଉଥିବା ଦେଖାଯାଇଛି । ହୃଦୟକୁ ଛୁଇଁବା ଭଳି ଏହି ଫଟୋକୁ ଫଟୋଗ୍ରାଫର ଅନୀଲ ପ୍ରଭାକର ନିଜ କ୍ୟାମେରା ରେ ସ୍ଥାନିତ କରିଛନ୍ତି । ସାଙ୍ଗମାନଙ୍କ ସହ ସଫାରୀ ବୁଲିବାକୁ ଯାଇଥିବା ବେଳେ ସେ ଏହି ଫଟୋ ଉଠାଇଥିବା କହିଛନ୍ତି । ଅନୀଲ କହିଛନ୍ତି ଯେ ଜଙ୍ଗଲର ସେହି ସ୍ଥାନରେ ପ୍ରବଳ ସାପ ଥିବା ଖବର ପାଇ ଓ୍ଵାଡେନ୍ ସେଠାକୁ ସାପଙ୍କୁ ହଟାଇବାକୁ ଆସିଥିଲେ, କିନ୍ତୁ ସେଠାରେ ସେ ଫସିଯାଇଥିଲେ । ଏହା ଦେଖି ଏକ ଓରାଙ୍ଗଓଟାନ୍ ତାଙ୍କ ନିକଟକୁ ଆସି ସାହାଯ୍ୟର ହାତ ବଢ଼ାଇଥିଲା । ସେ ଏହି ମୁହୂର୍ତ୍ତର ଫଟୋକୁ ନିଜ କ୍ୟାମେରାରେ କଏଦ କରି ନେଇଥିଲେ । ସୂଚନାଯୋଗ୍ୟ, ୧୯୯୧ ମସିହାରେ ବୋର୍ଣ୍ଣିଓ ଓରାଙ୍ଗଓଟାନ୍ ସର୍ଭାବଲ ଫାଉଣ୍ଡେସନ୍ ଇଣ୍ଡୋନେସିଆରେ ସ୍ଥାପିତ ହୋଇଥିଲା । ଏଠାରେ ପ୍ରାୟ ୬୫୦ ଟି ଓରାଙ୍ଗଓଟାନ୍ ଙ୍କ ଯତ୍ନ ନେବାକୁ ୪୫୦ ଜଣ ବ୍ୟକ୍ତି କାମ କରୁଛନ୍ତି ।