ଗ୍ରୀନ୍ ଜୋନକୁ ଗ୍ରୀନ୍ ସିଗନାଲ୍ । ତାଲାବନ୍ଦ ବେଳେ ଖୋଲିପାରିବେ ମଦ ଓ ପାନ ଦୋକାନ, ଗଡ଼ିବ ଯାତ୍ରୀବାହୀ ବସ୍, ହେଲେ ସାମାଜିକ ଦୂରତା ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ।

3,403

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ମେ ୩ରେ ସରିବାକୁ ଯାଉଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି । ଆସନ୍ତା ମେ, ୧୭ ତାରିଖ ଯାଏଁ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ତେବେ ଗୃହମନ୍ତ୍ରଣାଳୟ ଏନେଇ ପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛନ୍ତି ।ଗ୍ରୀନ ଓ ଅରେଞ୍ଜ ଜୋନରେ କିଛି କଟକଣା କୋହଳ କରାଯାଇଛି । ତେବେ ଏହାକୁ ନେଇ କେନ୍ଦ୍ର ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି | ଲକଡାଉନ ଅବଧିରେ ବିମାନ ,ଟ୍ରେନ ସେବା ବନ୍ଦ ରହିବ ବୋଲି କୁହାଯାଇଥିବା ବେଳେ ଗ୍ରୀନ୍ ଜୋନରେ କଟକଣା କୋହଳ କରାଯାଇଛି | ଆଉ ଏକ ବଡ଼ କଥା ହେଲା ଗ୍ରୀନ ଜୋନରେ ଡାକ୍ତରଖାନାଗୁଡ଼ିକର ଓପିଡି ଖୋଲିବା ଲାଗି ଅନୁମତି ଦିଆଯାଇଛି ।

ଏହି ଜୋନ ଅଧୀନରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚାଲିପାରିବ ବୋଲି କୁହାଯାଇଛି । ଏଥିସହ ବିନା ପାସରେ ମାଲବାହୀ ଗାଡ଼ି ଚଳାଚଳ କରିପାରିବ । ସେହିପରି ଇ-କମର୍ସ ପାଇଁ ରିହାତି ମଧ୍ୟ ଘୋଷଣା କରାଯାଇଛି। ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ଇ-ବାଣିଜ୍ୟକୁ ଅନୁମୋଦନ କରାଯାଇଛି । ଏହି ଜୋନ୍ ଗୁଡିକରେ ଅତ୍ୟାବଶ୍ୟକ ହୋଇ ନ ଥିବା  ଜିନିଷଗୁଡିକର ମଧ୍ୟ ବିତରଣ କରାଯାଇପାରିବ |

ସେହିପରି ଗ୍ରୀନ ଜୋନରେ ଏଣିକି ମଦ ଦୋକାନ ସହ ପାନ ଦୋକାନ ମଧ୍ୟ ଖୋଲା ରହିବ | ତେବେ ଦୋକାନରେ ଗ୍ରାହକମାନେ  ପରସ୍ପର ଠାରୁ  ଅତିକମରେ ୬ ଫୁଟ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି । ସେହିପରି ଦୋକାନରେ ଏକା ସମୟରେ ୫ ଜଣ ଯେଭଳି ନ ରହିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ପଡିବ । ତେବେ ଗ୍ରୀନ ଜୋନରେ ପୂର୍ବ ପରି ଶିକ୍ଷାନୁଷ୍ଠାନ, ସିନେମା ହଲ୍,ଜିମ୍, ସେଲୁନ୍, ‌ହଷ୍ଟେଲ ବନ୍ଦ ରହିବ । ଏଥିସହ ସମସ୍ତ ସାମଜିକ, ସାଂସ୍କୃତିକ ଓ ଧାର୍ମିକ ସମାରୋହ ଉପରେ କଟକଣା ଜାରି ରହିବ। ଅନ୍ୟପକ୍ଷରେ ଧର୍ମାନୁଷ୍ଠାନରେ ପ୍ରବେଶ ନିଷେଧ ବଳବତ୍ତର ରହିବ ।

କାର୍ଯ୍ୟାଳୟ ଏବଂ କାରଖାନାଗୁଡ଼ିକୁ ସର୍ତ୍ତମୂଳକ କାର୍ଯ୍ୟ ଅନୁମତି ଦିଆଯାଇଛି । ଉଦାହରଣ ସ୍ୱରୂପ, କାର୍ଯ୍ୟାଳୟ ଏବଂ କାରଖାନାଗୁଡ଼ିକରେ ସାମାଜିକ ଦୂରତାକୁ ଯତ୍ନ ନେବାକୁ ପଡିବ । ଏହା ବ୍ୟତୀତ କାର୍ଯ୍ୟକ୍ଷେତ୍ରକୁ ସମୟ ସମୟରେ ପରିମଳ କରିବାକୁ ପଡିବ । ଏଠାରେ ସୂଚନା ଥାଉ କି ଯେଉଁ ଜିଲ୍ଲାଗୁଡ଼ିକରେ ଗତ ୨୧ ଦିନ ଧରି କରୋନା ଭାଇରସ ସଂକ୍ରମଣର ଗୋଟିଏ ବି ଘଟଣା ହୋଇନାହିଁ, ସେମାନଙ୍କୁ ସବୁଜ ଜୋନ ଭାବେ ଘୋଷଣା କରାଯାଇଛି ।