ତତଲା କଡେଇରେ ସିଜୁଛି ସାରା ଓଡ଼ିଶା । ଆଜି ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ।

193

କନକ ବ୍ୟୁରୋ: ସାରା ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଆଜି ବି ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ନୟାଗଡ଼, ଅନୁଗୁଳ, ମୟୂରଭଞ୍ଜ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମପ୍ରବାହ ବହିବ । ଏଥିପାଇଁ ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି କେନ୍ଦୁଝର, ଖୋର୍ଦ୍ଧର୍ର୍ର୍ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, ଢେଙ୍କାନାଳ, ମାଲକାନାଗିରି, ନବରଙ୍ଗପୁର , ଗଞ୍ଜାମ ଓ ଗଜପତିରେ ବି ଗ୍ରୀଷ୍ମଲହରି ଦେଖିବାକୁ ମିଳିବ । ତେବେ ଗ୍ରୀଷ୍ମପ୍ରବାହର ଏଭଳି ସ୍ଥିତିରୁ ଆସନ୍ତା କାଲିଠୁ ସାମୟିକ ଆଶ୍ୱସ୍ତି ମିଳିବ । ପଶ୍ଚିମା ଝଡ଼ ଯୋଗୁଁ କାଲିଠୁ ୨୪ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ଦେଖିବାକୁ ମିଳିବ । ଆଉ ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବାର ସମ୍ଭାବନା ରହିଛି । ୨୨ ତାରିଖରେ ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିପାରେ । କିନ୍ତୁ ୨୫ ତାରିଖ ପରେ ପୁଣି ତାତି ବଢିବା ସହ ତାପମାତ୍ରା ୪୬ ଡିଗ୍ରୀ ଛୁଇଁବ ବୋଲି ବରିଷ୍ଠ ପାଣିପାଗ ବିଷେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।

ତେବେ ଗତକାଲି ପ୍ରଥମ ଥର ପାଇଁ ରାଜ୍ୟରେ ୪୪ଡିଗ୍ରୀ ଡେଇଁଛି ତାତି । ଗତକାଲି ବୌଦ୍ଧରେ ସର୍ବାଧିକ ୪୪ ଦଶମିକ ୩ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୪୪ ଦଶମିକ ୨ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ୧୦ ସହରରେ ତାପମାତ୍ରା ୪୩ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ୩୨ ସହରରେ ପାରଦ ୪୦ଡିଗ୍ରୀ ଉପରେ ରହିଥିଲା । ତେବେ ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଛି । ବାଲେଶ୍ୱରର ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ଜୀବନ ଯାଇଛି । ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଓ ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତାରେ ପୀଡ଼ିତ ହୋଇ ୭୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।