ସାବଧାନ ଓ ସତର୍କ ରୁହନ୍ତୁ ! ଆଜି ରାଜ୍ୟର ଅନେକ ସ୍ଥାନରେ କୁଆପଥର ସହ ବର୍ଷା ସମ୍ଭାବନା, ବର୍ଷା ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି

9,116

କନକ ବ୍ୟୁରୋ : ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହେବ। ଏହି ସମୟରେ ପ୍ରବଳ ବେଗରେ ପବନ ବହିବାର ବି ସମ୍ଭାବନା ରହିଛି। ସ୍ଥିତିକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ବିଶେଷକରି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ ଜଗତସିଂହପୁରରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୨ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବଳ ବେଗରେ ପବନ ବହିବାର ଆଶଙ୍କା ଥିବାରୁ ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଉପରୋକ୍ତ ଜିଲ୍ଲା ଛଡ଼ା ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର, ବଲାଙ୍ଗୀର, ବରଗଡ଼ ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି ସହ ଝଡ଼ବର୍ଷା ହେବ। ଏହି ସବୁ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ସେହିପରି ୨୨ତାରିଖ ସକାଳୁ ୨୩ ତାରିଖ ଅପରାହ୍‌ଣ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ ମୟୂରଭଞ୍ଜ ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି ସହ ଝଡ଼ବର୍ଷା ହେବ। ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ ସେମିତି କିଛି ପରିବର୍ତ୍ତନ ଦେଖାଯିବ ନାହିଁ। ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ ଓ କିଛି ସ୍ଥାନରେ ସ୍ବଳ୍ପ ବର୍ଷା ଓ ଅନ୍ୟ କିଛି ସ୍ଥାନରେ ଝଡ଼ବର୍ଷା ହେବ। ଏହି ସମୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ୨୨ ଡିଗ୍ରି ମଧ୍ୟରେ ରହିବ।