କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତୀ ଉତ୍ତର ଓଡ଼ିଶା- ପଶ୍ଚିମବଙ୍ଗ ଉପକୂଳର ବାୟୁମଣ୍ଡଳରେ ୫ ଦଶମିକ ୮ କିମି ଉଚ୍ଚତା ପର୍ଯ୍ୟନ୍ତ ପୂର୍ଣ୍ଣବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜି ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରରସୁଗୁଡା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, କେରାପୁଟ ଓ ନବରଙ୍ଗପୁର ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର ଓ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Advertisment

ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ପରେ ସତର୍କ କରିଛନ୍ତି ଏସଆରସି । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି । ତେଣୁ କ୍ଷେତ୍ର ସରକାରୀ କର୍ମଚାରୀଙ୍କୁ ହେଡକାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରର ତଳିଆ ଅଂଚଳରେ ଜଳବନ୍ଦୀ ଅବସ୍ଥା ଉପୁଜିପାରେ । ରାସ୍ତା ଓ ଡ୍ରେନ ବୁଡି ଯାଇପାରେ । ଡ୍ରେନ୍ ଗୁଡ଼ିକ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରରେ ଟ୍ରାଫିକ ସମସ୍ୟା ଉପୁଜିପାରେ । ତେଣୁ ତଳିଆ ଅଂଚଳରେ ପାଣି ଜମିଲେ, ତୁରନ୍ତ ନିଷ୍କାସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପମ୍ପ ଓ ଜେନେରେଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଦୁର୍ବଳ ନଦୀବନ୍ଧ, କେନାଲ ଉପରେ ନଜର ରଖିବାକୁ କୁହାଯାଇଛି ।