କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଏହି ଘୂର୍ଣ୍ଣିବଳୟ ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ଦୁଇ ଦିନ ଭିତରେ ଉତର ଓଡ଼ିଶା ଓ ଏହାସହ ଲାଗି ରହିଥିବା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଗତି କରିବ । ୧୮ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃ୍ଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Advertisment

ଆଜି ଏବଂ କାଲି ସକାଳ ପର୍ଯ୍ୟନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ଅଂରେଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରରସୁଗୁଡା,ବରଗଡ଼, ନୂଆପଡ଼ା, କଳାହାଣ୍ଡି, କେରାପୁଟ ଓ ନବରଙ୍ଗପୁର । ପାଣିପାଗ ବିଭାଗର ଆକଳନ ପରେ ସତର୍କ କରିଛନ୍ତି ଏସଆରସି । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି । ତେଣୁ କ୍ଷେତ୍ର ସରକାରୀ କର୍ମଚାରୀଙ୍କୁ ହେଡକାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରର ତଳିଆ ଅଂଚଳରେ ଜଳବନ୍ଦୀ ଅବସ୍ଥା ଉପୁଜିପାରେ । ରାସ୍ତା ଓ ଡ୍ରେନ ବୁଡି ଯାଇପାରେ । ଡ୍ରେନ୍ ଗୁଡ଼ିକ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରରେ ଟ୍ରାଫିକ ସମସ୍ୟା ଉପୁଜିପାରେ । ତେଣୁ ତଳିଆ ଅଂଚଳରେ ପାଣି ଜମିଲେ, ତୁରନ୍ତ ନିଷ୍କାସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପମ୍ପ ଓ ଜେନେରେଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଦୁର୍ବଳ ନଦୀବନ୍ଧ, କେନାଲ ଉପରେ ନଜର ରଖିବାକୁ କୁହାଯାଇଛି ।

ତେବେ ଗତକାଲି ଭଦ୍ରକରେ ସର୍ବାଧିକ ୧୬୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଜଗତସିଂହପୁରରେ ୧୩୨ ଦଶମିକ ୬, ଝାରସୁଗୁଡାରେ ୧୨୧ ମିଲିମିଟର, ଚାନ୍ଦବାଲିରେ ୮୦ ଏବଂ ଭୁବନେଶ୍ୱରରେ ୪୬ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଝାରସୁଗୁଡାରେ ସ୍କୁଲରେ ଲହଡି ମାରିଛି ବର୍ଷା ପାଣି । ବେହେରାମାଲ ସହର ସ୍ଥିତ ବୀରସୁରେନ୍ଦ ସାଏ ହାଇସ୍କୁଲ ଭିତରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପଶି ଯାଇଛି । ସେହିଭଳି ଭଦ୍ରକର ବିଭିନ୍ନ ମନ୍ଦିର ଗୁଡିକରେ ପାଣି ଜମି ରହିଛି । ବାବା ଲୋକନାଥଙ୍କ ମନ୍ଦିର ଭିତରେ ପାଣି ପଶିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।