ଆହୁରୀ ୩ ଦିନ ଯାଏଁ ଚାଲିବ ଶୀତର ଥାର୍ଡଡିଗ୍ରୀ। ଏହି ସବୁ ଜିଲ୍ଲାମାନଙ୍କରେ ଅନୁଭୂତ ହେବ ଭୟଙ୍କର ଜାଡ। ୧ରୁ କମିବ ଶୀତ, ବଢିବ ବର୍ଷା !

448

କନକ ବ୍ୟୁରୋ: ଡିସେମ୍ବର ତୃତୀୟ ସପ୍ତାହ ଯାଏ ରାଜ୍ୟରୁ ଏକପ୍ରକାର ନିଖୋଜ ହୋଇ ଯାଇଥିଲା ଶୀତ। ମାତ୍ର ଗତ ଦୁଇ ତିନି ହେଲା ହଠାତ୍ ମାଡ଼ି ଆସିଛି ଭୟଙ୍କର ଜାଡ଼। ସାରା ଓଡ଼ିଶା ଶୀତରେ ଥରୁଛି। ଦୁଇଦିନ ଭିତରେ ପାରଦ ୩ରୁ ୪ଡିଗ୍ରି ଖସିଯିବାରୁ ରାଜ୍ୟର ଅଧିକାଂଶ ଅଞ୍ଚଳର ପ୍ରବଳ ଶୀତ ଅନୁଭୂତ ହେଉଛି। ଏପରିକି ରାଜ୍ୟର କେତେକ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ସତେ ଯେମିତି ନିଜର ଓଢ଼ଣିରେ ସାରା ଓଡ଼ିଶାକୁ ଘୋଡ଼ାଇ ଦେଇଛି ଶୀତ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଉତ୍ତର ଓଡ଼ିଶାରେ ପ୍ରବଳ ତୁଷାରପାତ ହେଉଥିବାରୁ ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ ପବନ ବହୁଥିବାରୁ ଓଡ଼ିଶାରେ ପ୍ରବଳ ଥଣ୍ଡା ହେଉଛି। ସାରା ରାଜ୍ୟରେ ପ୍ରବଳ ଥଣ୍ଡା ହେଉଥିଲେ ହେଁ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅସହ୍ୟ ଶୀତ ହେଉଛି। ଗତକାଲି ଦିନତମାମ୍ ରାଜ୍ୟରେ ପାଗ କୋହଲା ରହିବା ସହ ଥଣ୍ଡା ପବନ ବହୁଥିବାରୁ ଲୋକମାନେ ପ୍ରବଳ ଥଣ୍ଡା ଅନୁଭବ କରିଛନ୍ତି। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୧୮ଟି ଜିଲ୍ଲାକୁ ତଥା ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଦା, ପୁରୀ,ନୟାଗଡ, ବୌଦ୍ଧ, ସୋନପୁର,ବଲାଙ୍ଗୀରରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ । ସେହିପରି ଉତ୍ତରଓଡିଶାର ଆଭ୍ୟନ୍ତରୀଣ ଅଂଚଳ, ବାଲେଶ୍ୱର, କଟକ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଏହା ସହିତ କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗୀର ଜିଲ୍ଳାର କେତେକ ସ୍ଥାନରେ ଘନ କୁହୁଡି ପଡିବାର ଆଶଙ୍କା ରହିଛି । ସେଥିପାଇଁ ଏହିସବୁ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ୧ତାରିଖରୁ ଶୀତ କିଛିଟା କମିବ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ୨ରୁ ବର୍ଷା ପରିମାଣ ବଢ଼ିବ। କିନ୍ତୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୧ରୁ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ନୂଆପଡ଼ା, ବରଗଡ଼ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୨ତାରିଖରୁ ରାଜ୍ୟର ଅନ୍ୟ ସ୍ଥାନରେ ବର୍ଷା ହେବ । ସେହିଭଳି ରାଜ୍ୟରେ ଏବେ ଯେପରି ଶୀତ ଅନୁଭବ ହେଉଛି ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଏହିପରି ଥଣ୍ଡା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।